Categories: ଜାତୀୟ

ବରୁଣ ଗାନ୍ଧୀଙ୍କୁ କଂଗ୍ରେସର ଖୋଲା ଅଫର୍‌: ଭାଜପା ଛାଡ଼ି ଆମ ଦଳରେ ସାମିଲ ହୋଇଯାଆନ୍ତୁ…

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ଭାଜପା ନେତା ବରୁଣ ଗାନ୍ଧୀଙ୍କୁ କଂଗ୍ରେସରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି। ସବୁଠାରୁ ପୁରୁଣା ଦଳରେ ଯୋଗଦେବାକୁ ବରୁଣଙ୍କୁ ‘ବହୁତ ସ୍ବାଗତ’ ବୋଲି ସେ କହିଛନ୍ତି। ଏହାଛଡ଼ା ତାଙ୍କୁ ଭାଜପା ଟିକେଟ ନ ଦେବାର କାରଣ ଗାନ୍ଧୀ ପରିବାର ସହ ତାଙ୍କର ସମ୍ପର୍କ ବୋଲି ଅଧୀର ଅଭିଯୋଗ କରିଛନ୍ତି।

ମଙ୍ଗଳବାର (୨୬ ମାର୍ଚ୍ଚ) ଅଧୀର କହିଛନ୍ତି, ଭାଜପା ବରୁଣ ଗାନ୍ଧୀଙ୍କୁ ଟିକେଟ ଦେଇ ନାହିଁ କାରଣ ସେ ଗାନ୍ଧୀ ପରିବାରର ସଦସ୍ୟ ଥିଲେ। ବରୁଣ କଂଗ୍ରେସରେ ଯୋଗଦେବା ଉଚିତ। ଯଦି ସେ ଯୋଗ ଦିଅନ୍ତି ତେବେ ଆମେ ଖୁସି ହେବ। ସେ ଜଣେ ବଡ, ଶିକ୍ଷିତ ଏବଂ ସ୍ବଚ୍ଛ ପ୍ରତିଛବି ଥିବା ରାଜନେତା। ଏବେ ସେ କଂଗ୍ରେସରେ ଯୋଗ ଦିଅନ୍ତୁ ବୋଲି ଆମେ ଚାହୁଁ।

ରବିବାର ଭାଜପା ଲୋକ ସଭା ନିର୍ବାଚନ ଲାଗି ୫ମ ତାଲିକା ପ୍ରକାଶ କରିଥିଲା। ସେଥିରେ ଉତ୍ତରପ୍ରଦେଶ ପିଲବିଟ୍‌ ଆସନରୁ ବର୍ତ୍ତମାନର ଏମ୍‌ପି ଥିବା ବରୁଣଙ୍କ ଟିକେଟ କଟାଯାଇଥିବା ସ୍ପଷ୍ଟ ହୋଇଥିଲା। ହେଲେ ତାଙ୍କ ମା’ ମେନକା ଗାନ୍ଧୀଙ୍କୁ ସୁଲତାନପୁର ଆସନରୁ ପ୍ରାର୍ଥୀ କରାଯାଇଥିଲା।

ଟିକେଟ ନ ମିଳିବାକୁ ନେଇ ବରୁଣଙ୍କ ବିବୃତ୍ତି ଆସିନାହିଁ। ହେଲେ ସେ ତାଙ୍କୁ ପ୍ରତାରଣା କରାଯାଇଛି ଏବଂ ଆଗକୁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି କହିଥିବା ରିପୋର୍ଟ ପ୍ରକାଶ ପାଇଛି।

ବରୁଣ ଭାଜପାର ଜାତୀୟ ସାଧାରଣ ସମ୍ପାଦକ ଥିଲେ। ଦୀର୍ଘ ୧୦ ବର୍ଷ ମଧ୍ୟରେ ତାଙ୍କୁ ଦଳର କୌଣସି ବଡ଼ ଦାୟିତ୍ୱ ମିଳିନାହିଁ। ସରକାର ଏବଂ ବ୍ୟବସ୍ଥା ବିରୋଧରେ ତାଙ୍କ ବିବୃତ୍ତି ଏହା ପଛର ବଡ଼ କାରଣ ବୋଲି କୁହାଯାଏ। ତେବେ କିଛିଦିନ ପୂର୍ବେ ସେ ଟିକେଟ ନ ପାଇଲେ ସ୍ବାଧୀନ ଭାବେ ଲଢ଼ିବେ ବୋଲି କୁହାଯାଉଥିଲା। ହେଲେ ଏଯାବତ ତାଙ୍କ ପକ୍ଷରୁ କୌଣସି ଆଧିକାରୀକ ଘୋଷଣା କରାଯାଇନାହିଁ।

Share