Categories: ଜାତୀୟ

ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୯ ।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏ ନେଇ ଗୁରୁବାର ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଜୁଲାଇ ୨୪ରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତେଣୁ ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ କରାଯିବ ।

୧୬ ତମ ରାଷ୍ଟ୍ରପତି ପଦ ପାଇଁ ଏଥର ନିର୍ବାଚନ ହେବ । ଜୁଲାଇ ୧୮ରେ ନିର୍ବାଚନ ହେବାକୁ ଥିବା ବେଳେ ୨୧ରେ ଭୋଟ ଗଣତି ଓ ଏହାର ଫଳାଫଳ ପ୍ରକାଶ ପାଇବ । ଏହି ନିର୍ବାଚନ ପାଇଁ ୧୫ ଜୁନରେ ବିଜ୍ଞପ୍ତି ଜାରି କରାଯିବ । ୨୯ ଜୁନ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି । ଜୁନ ୩୦ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ଜୁଲାଇ ୨ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ପ୍ରାର୍ଥିପତ୍ର ଦାଖଲ କେବଳ ଦିଲ୍ଲୀରେ ହିଁ କରାଯିବ । ଅନ୍ୟ କେଉଁଠି ପ୍ରାର୍ଥିପତ୍ର ଦାଖଲ କରାଯିବ ନାହିଁ । ଏହି ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ସିକ୍ରେଟ ବାଲାଟ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏହାସହ ପେନ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଆୟୋଗ ପକ୍ଷରୁ ଯୋଗଇ ଦିଆଯାଇଥିବା ପେନରେ ହିଁ ଭୋଟ ଦିଆଯିବ । ଅନ୍ୟ କୌଣସି ପେନ ବ୍ୟବହାର କଲେ ଏହାକୁ ଅବୈଧ କରିଦିଆଯିବ ଏହାସହ ନିର୍ବଚନର ଭିଡିଓଗ୍ରାଫି ବ୍ୟବସ୍ଥା ବି କରାଯାଇଛି ।

Share