Categories: ଜାତୀୟ

କେନ୍ଦ୍ରର ଟିକସ ଆତଙ୍କବାଦରେ ଡରିଯିବୁ ନାହିଁ

ନୂଆଦିଲ୍ଲୀ,୩୧।୩: କଂଗ୍ରେସକୁ ଆୟକର ବିଭାଗର ୧,୮୨୩ କୋଟି ଟଙ୍କାର ନୋଟିସ୍‌କୁ ବିରୋଧ କରି ଶନିବାର ଦଳ ପକ୍ଷରୁ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଟିକସ ଆତଙ୍କବାଦ ଦ୍ୱାରା କଂଗ୍ରେସ ଭୟଭୀତ ହେବ ନାହିଁ ବୋଲି କହିଛି। ଅନ୍ୟପକ୍ଷରେ ଟିକସ ଫାଙ୍କିଥିବା ବିରୋଧୀ ଦଳ ଦେଶକୁ ବିଭ୍ରାନ୍ତ କରୁଛି ବୋଲି ଭାଜପା ଅଭିଯୋଗ କରିଛି। ଶୁକ୍ରବାର ରାତିରେ କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ମଧ୍ୟ ଆୟକର ବିଭାଗ ନୋଟିସ ଜାରି କରିଛି। ତାଙ୍କ ବିରୋଧରେ ମାମଲାର ସମାଧାନ ହୋଇସାରିଥିବାବେଳେ ଆୟକର ବିଭାଗ ନୋଟିସ ପଠାଇବାକୁ ନେଇ ଶିବକୁମାର ବିସ୍ମୟ ପ୍ରକାଶ କରିଛନ୍ତି। ଭାଜପା ନେତାମାନଙ୍କ ଟିକସ ଫାଙ୍କିକୁ ବିଭାଗ ଆଖିବୁଜି ଦେଇଥିବା କଂଗ୍ରେସ ନେତା କହିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ହାରିଯିବା ଭୟରେ ଭାଜପା ଆୟକର ବିଭାଗ ସମେତ ସିବିଆଇ ଏବଂ ଇଡିକୁ କଂଗ୍ରେସ ବିରୋଧରେ ଦୁରୁପଯୋଗ କରୁଥିବା କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି। ଦିଲ୍ଲୀରେ ଯୁବକଂଗ୍ରେସ ସଭାପତି ଶ୍ରୀନିବାସ ବିଭିଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ରାଜେନ୍ଦ୍ରପ୍ରସାଦ ରୋଡ୍‌ ଅଭିମୁଖେ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଟିକସ ନିୟମାବଳୀ ନାଁରେ କଂଗ୍ରେସକୁ ହଇରାଣ କରାଯାଉଥିବା ଶ୍ରୀନିବାସ ଅଭିଯୋଗ କରିଛନ୍ତି। ଥିରୁଭାନନ୍ଥପୁରମରେ କେରଳ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟକର ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋପ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସର ଅର୍ଥ ବ୍ୟବସ୍ଥାକୁ ପଙ୍ଗୁ କରିଦେବା ସହ ଏହାର ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରିବା ଭାଜପାର ଲକ୍ଷ୍ୟ ବୋଲି କେରଳ ପିସିସି ସଭାପତି ଏମ୍‌.ଏମ୍‌. ହାସନ କହିଛନ୍ତି।

Share