Categories: ଜାତୀୟ

ଚାଇନାର ଷ୍ଟାପଲ୍ଡ ଭିଜାକୁ ଭାରତର ବିରୋଧ

ନୂଆଦିଲ୍ଲୀ,୨୮।୭: ଅରୁଣାଚଳପ୍ରଦେଶର କେତେଜଣ କ୍ରୀଡ଼ାବିତ୍‌ଙ୍କ ପାଇଁ ଚାଇନା ଷ୍ଟାପଲ୍ଡ ଭିଜା ଇସ୍ୟୁ କରିଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଛି। ଚାଇନାର ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାର ଉପଯୁକ୍ତ ଜବାବ ଦେବା ଅଧିକାର ଭାରତର ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି।

ଷ୍ଟାପଲ୍ଡ ଭିଜା ହେଉଛି ଆବେଦନକାରୀଙ୍କ ପାସପୋର୍ଟ ସହ ଏହାକୁ ସିଧାସଳଖ ଷ୍ଟାମ୍ପ କରା ନ ଯାଇ ପାସ୍‌ପୋର୍ଟରେ ଯୋଡ଼ାଯାଇଥାଏ। ଚାଇନା ଦୀର୍ଘଦିନ ହେଲା ଅରୁଣାଚଳପ୍ରଦେଶକୁ ଏହାର ଅଂଶବିଶେଷ ଦାବି କରିଆସୁଥିବା ବେଳେ ଭାରତ କ୍ରମାଗତ ଭାବେ ଏହାକୁ ଖଣ୍ଡନ କରିଆସୁଛି। ସେହି କାରଣରୁ ବେଜିଂ ଅରୁଣାଚଳ ଖେଳାଳିଙ୍କ ପାଇଁ ଏଭଳି ଭିଜା ଇସ୍ୟୁ କରିଛି। ଭାରତୀୟ ନାଗରିକଙ୍କୁ ଭିଜା ଇସ୍ୟୁରେ ବାସିନ୍ଦା କିମ୍ବା ଜାତିକୁ ନେଇ ଭେଦଭାବ ରହିବା ଉଚିତ ନୁହେଁ। ଭାରତ ଚାଇନା ନିକଟରେ ଏହାର ତୀବ୍ର ପ୍ରତିବାଦ ଜଣାଇଥିବା ବାଗ୍‌ଚି କହିଛନ୍ତି। ଚାଇନାର ଚେଙ୍ଗଡୁରେ ଓ୍ବାଲ୍ଡ ୟୁନିଭର୍ସିଟି ଗେମ୍ସରେ ଭାଗନେବା ପାଇଁ ଭାରତର ୧୨ ଜଣିଆ ଟିମ୍‌ ସେଠାକୁ ଯିବାର ଥିବାବେଳେ ଉକ୍ତ ଗ୍ରୁପ୍‌ର ୩ ଜଣ ଅରୁଣାଚଳପ୍ରଦେଶ ଖେଳାଳିଙ୍କୁ ଚାଇନା ଷ୍ଟାପଲ୍ଡ ଭିଜା ଇସ୍ୟୁ କରିଥିବାରୁ ଟିମ୍‌ ଗସ୍ତକୁ ସ୍ଥଗିତ ରଖାଯାଇଛି।

Share