Categories: ଖେଳ

ଭାରତ-କାତାର ଫୁଟ୍‌ବଲ ମ୍ୟାଚ: ଅନ୍‌ଲାଇନ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୧୧।୧୧(ତପନ ସ୍ବାଇଁ): ଭାରତ ଓ କାତାର ମଧ୍ୟରେ ଫିଫା ବିଶ୍ୱକପ ୨୦୨୬/ଏଏଫ୍‌ସି ଏସିଆନ କପ୍‌ ୨୦୨୭ ଯୁଗ୍ମ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ ମ୍ୟାଚ ଆସନ୍ତା ୨୧ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ପାଇଁ ଶୁକ୍ରବାରଠାରୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଟିକେଟ ଗୁଡ଼ିକ www.ticketgenie.inରେ ଉପଲବ୍ଧ। ଅନ୍‌ଲାଇନ୍‌ରେ ଟିକେଟ କିଣିବା ପରେ ଦର୍ଶକମାନେ ଏହାକୁ ୧୭ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୬ଟା ମଧ୍ୟରେ ଗେଟ୍‌ ନଂ-୪ ନିକଟରେ ଥିବା କାଉଣ୍ଟରରେ ସ୍ବାପ୍‌ କରିପାରିବେ। କଳିଙ୍ଗ ଷ୍ଟାଡିୟମ ଗେଟ୍‌ ନଂ-୪ ନିକଟରେ ଉପଲବ୍ଧ କାଉଣ୍ଟରରେ ଆସନ୍ତା ୧୭ ତାରିଖରୁ ଅଫ୍‌ଲାଇନ୍‌ ଟିକେଟ ଉପଲବ୍ଧ ହେବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୬ଟା ମଧ୍ୟରେ ଫୁଟବଲପ୍ରେମୀମାନେ ବ୍ୟକ୍ତିଗତ ଉପସ୍ଥିତ ରହି ଟିକେଟ କ୍ରୟ କରିପାରିବେ। ନର୍ଥ ଓ୍ବେଷ୍ଟଷ୍ଟାଣ୍ଡ ପାଇଁ ଟିକେଟ ମୂଲ୍ୟ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଇଷ୍ଟ ଷ୍ଟାଣ୍ଡ, ସାଉଥ୍‌ ଷ୍ଟାଣ୍ଡ ଓ ନର୍ଥ ଷ୍ଟାଣ୍ଡର ଟିକେଟ ମୂଲ୍ୟ ୨୦୦ ଟଙ୍କା ରଖା ଯାଇଛି।

Share