ନୂଆଦିଲ୍ଲୀ/ନ୍ୟୁୟର୍କ,୭।୨: ଆଜିକାଲି ପାକିସ୍ତାନ ଏହାର ଅସ୍ତିତ୍ୱ ପାଇଁ ସଂଗ୍ରାମ କରୁଛି ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହା ସତ୍ତ୍ୱେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ଆଦୌ ବିରତ ହେଉନାହିଁ। ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଏହା ପରେ ଭାରତ ମଧ୍ୟ ତାଙ୍କୁ ଉପଯୁକ୍ତ ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ପ୍ରତିନିଧି କହିଛନ୍ତି, ପାକିସ୍ତାନର ପ୍ରତିନିଧି ଯାହା କୁହନ୍ତୁ କିମ୍ବା ବିଶ୍ୱାସ କରନ୍ତୁ, କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ରହିବ। ଆମେ ଏହି ପ୍ରତିନିଧି ଦଳ (ପାକିସ୍ତାନୀ ପ୍ରତିନିଧି) ଠାରୁ କିଛି ନୂଆ ଆଶା କରୁନାହୁଁ।
ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ମଧ୍ୟ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରିଥିଲା, କିନ୍ତୁ ପାକିସ୍ତାନକୁ ଭାରତର ପ୍ରତିନିଧଃ ଉପଯୁକ୍ତ ଉତ୍ତର ଦେଇଥିଲେ। ସେ କହିଥିଲେ, ପାକିସ୍ତାନର ହତାଶ ପ୍ରୟାସ କେବେ ସଫଳ ହେବ ନାହିଁ।