Categories: ଜାତୀୟ

କାନାଡା ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲା ଭାରତ: ରାଜନୈତିକ ଅଭିଳାଷ ପୂରଣ ପାଇଁ…

ନୂଆଦିଲ୍ଲୀ,୧୪।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିଯାଇଛି।  ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯୋଗକୁ ‘ଅବୈଧ ଅଭିଯୋଗ” ବୋଲି କହିଛି ଏବଂ ଦୃଢ ପ୍ରତିକ୍ରିୟା ଦେଇଛି। କେବଳ ଏତିକି ନୁହେଁ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଟାର୍ଗେଟ କରିଛି ଏବଂ ଏହି ଅଭିଯୋଗ ତାଙ୍କ ରାଜନୈତିକ ଅଭିଳାଷ ଏବଂ ଭୋଟ ବ୍ୟାଙ୍କ ରାଜନୀତି ପ୍ରେରିତ ବୋଲି କୁହାଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ଗତକାଲି ଆମେ କାନାଡାରୁ କୂଟନୈତିକ ଯୋଗାଯୋଗ ପାଇଥିଲୁ। ଯେଉଁଥିରେ ଭାରତୀୟ ହାଇ କମିଶନର୍‌ ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ ‘ଏକ ମାମଲା ସହ ଜଡିତ ବ୍ୟକ୍ତି’ ଭାବରେ ବର୍ଣ୍ଣନା କରାଯାଇଥିଲା। ଏହି ଅବୈଧ ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ଭୋଟ ବ୍ୟାଙ୍କ ରାଜନୀତିର ଏକ ଅଂଶ ଭାବରେ ଉଠାଯାଇଥିବା ପ୍ରସଙ୍ଗ ବୋଲି ଭାରତ ଏହାକୁ କହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତୀୟ ଅଧିକାରୀ ସମ୍ପୃକ୍ତ ଥିବା କାନାଡା ଅଭିଯୋଗ କରିଛି। ଭାରତ ଏହି ଦାବିକୁ ଅସ୍ବୀକାର କରିଛି ଏବଂ ଏହି ଗୁରୁତର ଅଭିଯୋଗକୁ ସମର୍ଥନ କରିବାକୁ ପ୍ରମାଣ ଦାବି କରିଛି।

 

Share