ନୂଆଦିଲ୍ଲୀ,୧୪।୩ : ଭାରତର ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର ହଠାତ୍ ପାକିସ୍ତାନ ଅଞ୍ଚଳରେ ପଡ଼ିବା ନେଇ ବିବାଦ ମଧ୍ୟରେ ବି ଖୁସି ଖବର ଆସିଛି। ଭାରତ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଏହି କ୍ଷେପଣାସ୍ତ୍ର ବର୍ତ୍ତମାନ ୮୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ଶିବିରକୁ ନଷ୍ଟ କରିବାରେ ସକ୍ଷମ ହେବ।
ଏହାପୂର୍ବରୁ ବ୍ରହ୍ମୋସର ଲକ୍ଷ୍ୟଭେଦ ପରିସର ୩୦୦ କିଲୋମିଟର ଥିଲା। ଏବେ ଏହାକୁ ୫୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି। ଏହି କ୍ଷେପଣାସ୍ତ୍ରଗୁଡିକ ସୁଖୋଇ ୩୦-ଏମ୍କେଆଇ ଯୁଦ୍ଧ ବିମାନରେ ସଂଯୁକ୍ତ କରାଯାଇଛି । ଏହା ଦ୍ୱାରା ଚାଇନା ଏବଂ ପାକିସ୍ତାନର ଚିନ୍ତା ଏବେ ବଢ଼ିବାରେ ଲାଗିଛି।
ନ୍ୟୁଜ ଏଜେନ୍ସି ଏଏନ୍ଆଇ ସୂତ୍ରରୁ ପ୍ରକାଶ ଯେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସୀମା ୫୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି। କେବଳ ସଫ୍ଟୱେର୍ ଅପଗ୍ରେଡ କରି ଏହା ସମ୍ଭବ ହୋଇପାରିଛି। କ୍ଷେପଣାସ୍ତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବର୍ତ୍ତମାନ ଏହି କ୍ଷେପଣାସ୍ତ୍ରର କ୍ଷମତାକୁ ୮୦୦ କିଲୋମିଟରକୁ ବୃଦ୍ଧି କରିବାରେ ଭାରତ ସଫଳ ହୋଇଛି।
ଭାରତୀୟ ବାୟୁସେନା ଏହାର ୪୦ଟି ସୁଖୋଇ ବିମାନରେ ବ୍ରହ୍ମୋସ କ୍ରୁଜ କ୍ଷେପଣାସ୍ତ୍ର ନିୟୋଜିତ କରିଛି। ଏହି କ୍ଷେପଣାସ୍ତ୍ରଗୁଡିକ ଅଧିକ ଘାତକ ଏବଂ ଶତ୍ରୁକୁ ବହୁ ଦୂରରୁ ମଧ୍ୟ ଧ୍ୱଂସ କରିବାର କ୍ଷମତା ମଧ୍ୟ ରହିଛି। ସୁଖୋଇ ବିମାନକୁ ତାମିଲନାଡୁର ଥାନଜାଭୁର ଏୟାରବେସରେ ରଖାଯାଇଥିଲା, କିନ୍ତୁ ଲଦାଖରେ ଚାଇନା ସହିତ ମୁହାଁମୁହିଁ ସ୍ଥିତି ହେବା ପରେ ଏବେ ସୁଖୋଇକୁ ଉତ୍ତର ସୀମାରେ ନିୟୋଜିତ କରାଯାଇଛି।
ବ୍ରହ୍ମୋସ କ୍ଷେପଣାସ୍ତ୍ରଗୁଡ଼ିକର ନବୀକରଣ ପାଇଁ ଭାରତ ନିରନ୍ତର କାର୍ଯ୍ୟ କରୁଛି। ବ୍ରହ୍ମୋସର ନୌସେନା ଭାରିଆଣ୍ଟର ସାମର୍ଥ୍ୟକୁ ୩୫୦ରୁ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୫ରେ ଆଇଏନ୍ଏସ୍ ଯୁଦ୍ଧ ଜାହାଜରୁ ଏହି କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ରୁଷିଆର ସହଯୋଗରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକଶିତ କରାଯାଇଛି।
ସମ୍ପ୍ରତି, ଏକ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ହରିୟାଣାର ସିର୍ସା ଠାରୁ ଉଡି ପାକିସ୍ତାନର ମିଆଁ ଚାନ୍ନୁରେ ୧୨୯ କିଲୋମିଟର ଭିତରେ ପଡିଯାଇଥିଲା। ସିର୍ସା ଏବଂ ମିଆଁ ଚାନ୍ନୁ ମଧ୍ୟରେ ଦୂରତା ୨୭୭ କିଲୋମିଟର। ପାକିସ୍ତାନ ଏହାକୁ ତୀବ୍ର ବିରୋଧ କରିଛି। ଯଦିଓ ଏହି କ୍ଷେପଣାସ୍ତ୍ର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନ ଥିଲା। ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଭାରତ ଏକ ଉଚ୍ଚ ସ୍ତରୀୟ ତଦନ୍ତ ବ୍ୟବସ୍ଥା କରିଛି।