ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ ସଦୃଶ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଡ. ଲେନିନ ମହାନ୍ତି। ଖବରକାଗଜରେ ଭାଜପାର ଗ୍ୟାରେଣ୍ଟି ସମ୍ପର୍କିତ ବିଜ୍ଞାପନରେ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ସୁବିିଧା ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଦୁଇଦିନ ତଳେ ଏକ ଛାପା ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧କୁ ଖସିଛି । ରିପୋଟର୍ସ ୱିଦଆଉଟ ବଡର୍ସ(ଆରଏଫଏସ) ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କର ୨୧ତମ ସଂସ୍କରଣ ଜାରି କରିଛି। ଗତ ୨୦୨୨ରେ ଭାରତର ସ୍ଥାନ ୧୫୦ ଥିବାବେଳେ ଏଥିରେ ଆହୁରି ଅବନତି ଘଟି ୧୬୧କୁ ଖସିଥିବା ସୂଚନା ରହିଛି। ଗଣମାଧ୍ୟମ ପାଇଁ ୩୧ ବିପଜ୍ଜନକ ଦେଶ ଗୁଡିକ ମଧ୍ୟରେ ଭାରତ ମଧ୍ୟ ରହିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ସାମ୍ବାଦିକଙ୍କ ଉପରେ ହିଂସା ଗଣମାଧ୍ୟମର ସ୍ବାଧୀନତାକୁ ବିପଦରେ ପକାଇଥିବା ଆରଏସଏଫ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଓଡ଼ିଶାରେ ଗଣମାଧ୍ୟମର ସୁବିଧା କରିବାକୁ ପ୍ରତିଶ୍ରୁତି ଦେଇ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି। ଓଡିଶାର ସାମ୍ବାଦିକ ଏବଂ ସେମାନଙ୍କର ପରିବାରଙ୍କ ପାଇଁ ସ୍ବାସ୍ଥ୍ୟବୀମା ବାର୍ଷିକ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ରାଜ୍ୟର ୭୫୦୦ରୁ ଅଧିକ ସାମ୍ବାଦିକଙ୍କୁ ସ୍ବୀକୃତି ପ୍ରଦାନ କରାଯାଇଛି। ଗତବର୍ଷ ପ୍ରାୟ ୫୦୦ ସାମ୍ବାଦିକ ଏହି ଯୋଜନା ଅଧୀନରେ ନଗଦ ବିହୀନ ଚିକିତ୍ସା ପାଇଛନ୍ତି। କୋଭିଡ ମୃତ୍ୟୁକାଳୀନ ସହାୟତା ରାଶି ଭାବେ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଦିବଙ୍ଗତ ସାମ୍ବାଦିକଙ୍କ ସନ୍ତାନଙ୍କ ଶିକ୍ଷା ସହାୟତା ପାଇଁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ମାସକୁ ୧୫୦୦ ଟଙ୍କା ଏବଂ ୨୧ ବର୍ଷ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯାଏ। ଦୁର୍ଘଟଣା କିମ୍ବା ରୋଗ ଜନିତ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ଧର୍ମେନ୍ଦ୍ର ଯଦି ସତରେ ସାମ୍ବାଦିକଙ୍କ ସୁରକ୍ଷା ଓ ଉନ୍ନତି କଥା ଚିନ୍ତା କରୁଛନ୍ତି ତାହେଲେ ପ୍ରଥମେ କେନ୍ଦ୍ରରେ ବସିଥିବା ତାଙ୍କର ନେତାଙ୍କ ସହିତ କଥାବାର୍ତ୍ତା କରି ନିଷ୍ପତ୍ତି ନେବାକୁ ଡ. ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି।

Share