Categories: ଖେଳ

ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜ ପାଇଁ ଭାରତ ପ୍ରସ୍ତୁତ

ଚେନ୍ନାଇ, ୮। ୧୦:  ଭାରତକୁ ଦିନିକିଆ କ୍ରିକେଟ ବିଶ୍ୱକପ ଫେରିଥିବା ବେଳେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଥିବା ବେଳେ ପ୍ରଥମ ମ୍ୟାଚରେ ୫ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ମୁକାବିଲା କରିବ। ୧୪୦ କୋଟି ଦେଶବାସୀଙ୍କ ସ୍ବପ୍ନକୁ କାନ୍ଧରେ ବୋହି ଭାରତ ଏହି ମ୍ୟାଚକୁ ଓହ୍ଲାଇବ। ଚେପକ୍‌ର ସ୍ପିନ୍‌ ସହାୟକ ଟ୍ରାକ୍‌ରେ ଭାରତ ଫେଭ୍‌ରିଟ୍‌ ରହିଥିଲେ ହେଁ ଅଷ୍ଟ୍ରେଲିଆ ମଧ୍ୟ କଡା ଚ୍ୟାଲେଞ୍ଜ ଦେବା ନେଇ ଆଶା କରାଯାଏ। ଭାରତୀୟ ଦଳର ଅଧିନାୟକ ରହିଥିବା ରୋହିତ ଶର୍ମାଙ୍କୁ ବର୍ତ୍ତମାନ ୩୬ ବର୍ଷ ହୋଇଥିବା ବେଳେ ବିରାଟ କୋହଲିଙ୍କୁ ହେଲାଣି ୩୫ ବର୍ଷ। ଏହି ଦୁଇ ଖେଳାଳିଙ୍କ ପାଇଁ ଏହା ଅନ୍ତିମ ଦିନିକିଆ ବିଶ୍ୱକପ ବୋଲି ମଧ୍ୟ କୁହାଯାଇପାରେ। ତେଣୁ ଉଭୟ ଏହାକୁ ସ୍ମରଣୀୟ କରିବାକୁ ସମସ୍ତ ପ୍ରୟାସ କରିବେ। ୧୨ ବର୍ଷ ପୂର୍ବେ କୋହଲି ନିଜ ପଦାର୍ପଣରେ ବିଶ୍ୱକପ ବିଜୟୀ ହୋଇଥିବା ବେଳେ ଏଥିରେ ମଧ୍ୟ ସମାନ କରିସ୍ମା ଦୋହରାଇବାକୁ ପ୍ରୟାସ କରିବେ।

ରୋହିତ ଓ କୋହଲିଙ୍କ ବ୍ୟତୀତ ୩୭ ବର୍ଷୀୟ ଅଶ୍ୱିନ ମଧ୍ୟ ସମ୍ଭବତଃ ନିଜର ଶେଷ ବିଶ୍ୱକପ ଖେଳୁଛନ୍ତି। ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ ଭାରତ ବିଜୟୀ ହେବା ଦ୍ୱାରା ଏହା ପୁନର୍ବାର ଶୀର୍ଷକୁ ଫେରିବା ଆକଳନ କରାଯାଉଛି। ୫ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ମଧ୍ୟ ଭାରତକୁ କଡା ଟକ୍କର ଦେବ। ଚେପକ୍‌ର ପିଚ୍‌ ଓ ପରିବେଶ ଭାରତ ପାଇଁ ଅନୁକୂଳ ହୋଇଥିବା ବେଳେ ଭାରତୀୟ ଦଳ ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିବ। ଚେପକ୍‌ରେ ଭାରତ ୧୪ ମ୍ୟାଚ୍‌ରୁ ୭ ବିଜୟ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ୬ ମ୍ୟାଚ୍‌ରୁ ୫ ବିଜୟ ହାସଲ କରିଛି।

ସେହିପରି ଦଳ ଚୟନକୁ ନେଇ ମଧ୍ୟ ଭାରତ ସମସ୍ୟାରେ ରହିଛି। ୩ ସ୍ପିନରଙ୍କୁ ଖେଳାଇବ କି ନାହିଁ ଏହାକୁ ନେଇ ମ୍ୟାନେଜମେଣ୍ଟ ଚିନ୍ତାରେ ରହିଛି। କୁଲଦୀପ ଓ ଜାଡେଜାଙ୍କ ଖେଳିବା ସ୍ଥିର ଥିବା ବେଳେ ଅଶ୍ୱିନ ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣେ ଖେଳିବେ। ଚେନ୍ନାଇ ପିଚ୍‌କୁ ଦୃଷ୍ଟିରେ ରଖିଲେ ଭାରତ ଅଶ୍ୱିନଙ୍କୁ ଖେଳାଇବ। ସେହିପରି ଶୁବମନ ଗିଲ୍‌ଙ୍କ ଅନୁପସ୍ଥିତିରେ ଇଶାନ କିଶନ ଓପନ କରିବେ। ଟପ୍‌ ଅର୍ଡରରେ ବାମ-ଡାହାଣ କମ୍ବିନେଶନ ଭାରତକୁ ଅଧିକ ଦୃଢତା ପ୍ରଦାନ କରିବ। ତେବେ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଠାରୁ ଭାରତକୁ ସତର୍କ ରହିବାକୁ ପଡିବ।

Share