Categories: ଜାତୀୟ

ସାରା ପୃଥିବୀରେ ଖାଦ୍ୟ ଯୋଗାଇବାକୁ ଭାରତ ପ୍ରସ୍ତୁତ, ଡବ୍ଲ୍ୟୁଟିଓ ଅନୁମତିକୁ ଅପେକ୍ଷା…

ନୂଆଦିଲ୍ଲୀ, ୧୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ ଯଦି ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ଅନୁମତି ଦିଏ ତେବେ ଭାରତ ପୃଥିବୀରେ ଖାଦ୍ୟ ଯୋଗାଇବାକୁ ଭାରତ ପ୍ରସ୍ତୁତ। ଭାରତର ଖାଦ୍ୟ ଭଣ୍ଡାରକୁ ପୃଥିବୀର ବିଭିନ୍ନ ଦେଶକୁ ଯୋଗାଇବାକୁ ମୋଦି ଅଫର ଦେଇଥିଲେ।

ଏସମ୍ପର୍କରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟର ଅଦଲଜରେ ଶ୍ରୀ ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟର ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁ ପୃଥିବୀର ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ହ୍ରାସ ପାଉଛି। ଫଳରେ ଦୁନିଆ ଏକ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ବିଭିନ୍ନ ଦେଶ ଯାହା ଆବଶ୍ୟକ କରୁଛନ୍ତି ତାହା କେହି ପାଇପାରୁ ନାହାଁନ୍ତି। ପେଟ୍ରୋଲ, ତେଲ ଏବଂ ସାରର ଉପଲବ୍ଧତା ହ୍ରାସ ପାଉଛି।

ସେ କହିଛନ୍ତି ଯେ ବର୍ତ୍ତମାନ ପୃଥିବୀ ଏକ ନୂତନ ଏବଂ ସବୁଠୁ ବଡ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି। ପୃଥିବୀର ଖାଦ୍ୟ ଭଣ୍ଡାର ଶୂନ୍ୟ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଆମେରିକାର ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଡବ୍ଲୁଟିଓ ଅନୁମତି ଦେଲେ ଆସନ୍ତାକାଲିଠାରୁ ଭାରତ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତୁତ ଅଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଯୋଗୁ ପ୍ରତ୍ୟେକ ଦେଶ ନିଜ ନିଜର ଖାଦ୍ୟ ଭଣ୍ଡାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଭାରତର ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଅଛି। ଦେଶର କୃଷକମାନଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର କୃଷକମାନେ ମଧ୍ୟ ପୃଥିବୀବାସୀଙ୍କୁ ଖାଇବାକୁ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ତଥାପି, ଆମକୁ ପୃଥିବୀର ବାଣିଜ୍ୟ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ। ତେବେ ଡବ୍ଲୁଟିଓ କେବେ ଅନୁମତି ଦେବ ଏବଂ ଆମେ କେବେ ପୃଥିବୀକୁ ଖାଦ୍ୟ ଯୋଗାଇ ପାରିବା ତାହା ସମୟ ହିଁ କହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share