Categories: ଜାତୀୟ

ଠିକଣା ଜବାବ ଦେଇଛି ଭାରତ

ନୂଆଦିଲ୍ଲୀ,୨୯ା୬(ପି.ଟି.): ଲଦାଖ ଉପରେ ଯେଉଁମାନେ ଖରାପ ନଜର ପକାଇଛନ୍ତି ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯାଇଛି। ଭାରତ ବନ୍ଧୁତାକୁ ସମ୍ମାନ କରେ, ତେବେ କୌଣସି ପ୍ରକାର ଶତ୍ରୁତାର ଠିକଣା ଜବାବ ଦେବା ପାଇଁ ଏହା ସମର୍ଥ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଉଦ୍‌ବୋଧନ ଦେଇ କହିଛନ୍ତି। ଏହି ଅବସରରେ ସେ ଗଲ୍‌ଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ଆକ୍ରମଣରେ ଶହୀଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଭାରତର ବୀର ଯୋଦ୍ଧାମାନେ ଦେଶର ଗର୍ବ ଉପରେ ଆଞ୍ଚ୍‌ ଆସିବାକୁ ଦେବେନାହିଁ ବୋଲି ସେ କହିଥିଲେ।
ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହା ଦେଶକୁ ସୁଦୃଢ଼ କରିବାରେ ସହାୟକ ହୋଇପାରିବ। ଆତ୍ମନିର୍ଭରଶୀଳ ହେବା ଭାରତର ଲକ୍ଷ୍ୟ। ଆସ୍ଥା ଓ ବନ୍ଧୁତା ଏହାର ପରମ୍ପରା ହୋଇଥିବାବେଳେ ଭ୍ରାତୃଭାବ ଏହାର ଆତ୍ମା ବୋଲି ମୋଦି କହିଛନ୍ତି। ଆମ ସୀମାର ସୁରକ୍ଷା ପାଇଁ ଦେଶର ଶକ୍ତି ଓ ସାମର୍ଥ୍ୟ ବଢ଼ାଇବାକୁ ହେବ। ଏକ ଆତ୍ମନିର୍ଭର ଭାରତ ଏହାର ଶହୀଦମାନଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତ ଲକ୍‌ଡାଉନରୁ ମୁକ୍ତ ହୋଇ ଅନ୍‌ଲକ୍‌ ପର୍ଯ୍ୟାୟରେ ପ୍ରବେଶ କରିଥିବାବେଳେ କରୋନା ମହାମାରୀକୁ ପରାସ୍ତ କରିବା ଓ ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ। ଭାରତ ସବୁବେଳେ ବିପତ୍ତିକୁ ସଫଳତାରେ ପରିଣତ କରିଆସିଛି। ଚଳିତ ବର୍ଷ ମଧ୍ୟ ସେଥିରେ ବ୍ୟତିକ୍ରମ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ଅନ୍‌ଲକ ସମୟରେ ଲକ୍‌ଡାଉନ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ। ଜଣେ ମାସ୍କ ନ ପିନ୍ଧିଲେ, ୨ ଗଜ ଦୂର ସାମାଜିକ ଦୂରତ୍ୱ ବଜାୟ ନ ରଖିଲେ ଓ ଅନ୍ୟ ସତର୍କତାମୂଳକ ପଦକ୍ଷେପ ପାଳନ ନ କଲେ ସେ କେବଳ ନିଜ ପାଇଁ ବିପଦ ଆଣିବେ ତାହା ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାନ୍ତି ବୋଲି ମୋଦି ସତର୍କ କରାଇଦେଇଥିଲେ। ତାଙ୍କ ସରକାର ଖଣି, ମହାକାଶ, କୃଷି ଓ ଅନ୍ୟାନ୍ୟ ସେକ୍ଟରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି, ଯାହା ଭାରତକୁ ଆତ୍ମନିର୍ଭର କରିବା ସହ ଦେଶର ପ୍ରଯୁକ୍ତି କ୍ଷେତ୍ରରେ ବିକାଶକୁ ତ୍ୱରାନ୍ବିତ କରାଇବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପାରମ୍ପରିକ ଇନ୍‌ଡୋର ଗେମ୍‌କୁ ନୂଆ ଓ ଆକର୍ଷଣୀୟ ରୂପରେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଏହି ସେକ୍ଟରରେ ଷ୍ଟାର୍ଟଅପ୍‌ମାନଙ୍କୁ ବଡ଼ ସୁଯୋଗ ମିଳିପାରିବ। ପାରମ୍ପରିକ କ୍ରୀଡ଼ା ଅଭ୍ୟାସ କରିବା ଦ୍ୱାରା ପିଲାମାନେ ଅନ୍‌ଲାଇନ ଗେମ୍‌ଠାରୁ ଦୂରେଇ ରହି ଅନ୍‌ଲାଇନ ପାଠପଢ଼ାରେ ଅଧିକ ମନୋନିବେଶ କରିପାରିବେ ବୋଲି ସେ କହିଥିଲେ।

Share