Categories: ଖେଳ

ଟାଇଟଲ ବଜାୟ ରଖିଲା ଭାରତ

ବୁସାନ (କୋରିଆ),୧।୭ (ପି.ଟି.): ଭାରତୀୟ ପୁରୁଷ କବାଡ଼ି ଦଳ ଏସିଆନ ଚାମ୍ପିୟନଶିପ୍‌ ଟାଇଟଲ ବଜାୟ ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍‌ ଫାଇନାଲରେ ଦଳ ୪୨-୩୨ରେ ଇରାନକୁ ହରାଇ ଦେଇଛି। ମହାଦେଶୀୟ ଚାମ୍ପିୟନଶିପ୍‌ରେ ଭାରତର ଏହା ହେଉଛି ୮ମ ଟାଇଟଲ। ମ୍ୟାଚରେ ଇରାନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ମାତ୍ର ଭାରତ ସୁଯୋଗ ଅପେକ୍ଷାରେ ଥିଲା। ଅଧିନାୟକ ପଓ୍ବନ ସେରାଓ୍ବତଙ୍କ ଦୁଇ ଟଚ୍‌ ପଏଣ୍ଟ ସହ ପ୍ରଥମେ ଅଲଆଉଟ କରି ଭାରତକୁ ୧୦-୪ରେ ଅଗ୍ରଣୀ କରାଇଥିଲେ। ପରେ ଭାରତ ଆଉ ଏକ ଅଲଆଉଟ ସହ ଇରାନ ଉପରେ ଚାପ ସୃଷ୍ଟି କରିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨୩-୧୧ରେ ଅଗ୍ରଣୀ ଲାଭ କରିଥିଲା। ଇରାନ ଅଲରାଉଣ୍ଡର ମହମାଦ୍ରେଜା ଚିୟାନେ ନେତୃତ୍ୱ ନେଇ ତାଙ୍କ ଦଳର ପ୍ରତ୍ୟାବର୍ତ୍ତନ ପାଇଁ ଚେଷ୍ଟା କରିଥିଲେ। ମାତ୍ର ଭାରତର ଆଉ ଏକ ଅଲ୍‌ଆଉଟ ଦ୍ୱାରା ଇରାନ ୩୩-୧୪ରେ ପଛୁଆ ପଡ଼ିଯାଇଥିଲା। ଶେଷରେ ଭାରତ ୪୨-୩୨ରେ ବିଜୟ ସହ ଏସିଆନ କବାଡ଼ି ଚାମ୍ପିୟନଶିପ୍‌ ଟାଇଟଲ ବଜାୟ ରଖିଥିଲା। ଏହି ସଫଳତା ପାଇଁ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛି। ଟୁର୍ନାମେଣ୍ଟର ଗତ ସଂସ୍କରଣ ୨୦୧୭ରେ ଇରାନରେ ହୋଇଥିଲା। ଏଥିରେ ଭାରତ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଫାଇନାଲରେ ପରାସ୍ତ କରିଥିଲା।

Share