Categories: ଜାତୀୟ

ନିଆଁ ଲାଗିଯାଇଥିବା ଗୁଜବ ଯୋଗୁ ବଡ଼ ଦୁର୍ଘଟଣା; ଏକ୍ସପ୍ରେସ୍‌ରୁ କୁଦିଲେ ଯାତ୍ରୀ, ପିଟିଲା ମାଲବାହୀ ଟ୍ରେନ୍‌

ରାଞ୍ଚି,୧୪।୬: ଝାଡ଼ଖଣ୍ଡ ଲାଟେହାରର ସାସାରାମ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ ଲାଗିବା ଗୁଜବ ୩ଜଣଙ୍କ ଜୀବନ ନେଇଛି। ଏକ୍ସପ୍ରେସ୍‌ଟି କୁମାଣ୍ଡି ଷ୍ଟେଶନରେ ପହଞ୍ଚିଥିବା ବେଳେ କେହି ଜଣେ ଟ୍ରେନ୍‌ ଇଞ୍ଜିନରେ ନିଆଁ ଲାଗିଥିବା ଚିତ୍କାର କରି କହିଥିଲେ। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସେମାନେ ଟ୍ରେନ୍‌ରୁ ଓହ୍ଲାଇ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ମାଲବାହୀ ଟ୍ରେନ୍‌ ଆସିଯାଇ ଅନେକ ଯାତ୍ରୀଙ୍କୁ ଧକ୍କା ଦେଇଥିଲା।
ଏହି ଭୟଙ୍କର ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏଥିରେ ୨ ପୁରୁଷ ଏବଂ ଜଣେ ମହିଳା ଯାତ୍ରୀ ଅଛନ୍ତି। ତେବେ ମୃତକଙ୍କ ପରିଚୟ ଏଯାବତ ମିଳିପାରିନାହିଁ। ଅନେକ ଲୋକ ଆହତ ହୋଇଛନ୍ତି। ତେବେ ଅନେକ ଯାତ୍ରୀ ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଖବରପାଇ ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପୋଲିସ ଟିମ୍‌ ପହଞ୍ଚୁଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏଯାବତ ଘଟଣାକୁ ନେଇ ରେଳ ବିଭାଗ ପକ୍ଷରୁ ଆଧିକାରୀକ ସୂଚନା ମିଳିପାରି ନାହିଁ।

 

Share