କରୋନା ତୃତୀୟ ଲହରର ଭୟ ଥିଲେ ବି ଖୋଲାଯାଇ ପାରିବ ପ୍ରାଇମେରୀ ସ୍କୁଲ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୦ ।୭: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଯାଉଥିବା ବେଳେ ଆଗକୁ ଆସୁଥିବା ତୃତୀୟ ଲହର କିନ୍ତୁ ମନରେ ଭୟ ସୃଷ୍ଟି କରି ଚାଲିଛି । ତୃତୀୟ ଲହରର ଭୟାବହତା ଜାଣିବା ପରେ ବି କିଛି ରାଜ୍ୟ ପୁଣିଥରେ ସ୍କୁଲ ଖୋଲିବାକୁ ପ୍ରସ୍ତୁତ ହେଲେଣି । ଇତିମଧ୍ୟରେ ଆଇସିଏମ୍‌ଆର୍ ଡିଜି ଡା. ବଳରାମ ଭାର୍ଗବ ସ୍କୁଲ ଖୋଲିବାକୁ ନେଇ ବଡ କଥା କହିଛନ୍ତି । ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଖବରଦାତା ସମ୍ମିଳନୀରେ ଡା. ଭାର୍ଗବଙ୍କୁ ସ୍କୁଲ ଖୋଲିବାକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଆରମ୍ଭରେ ପ୍ରାଇମେରୀ ସ୍କୁଲ ଖୋଲାଯାଇପାରେ । କାରଣ ଛୋଟ ପିଲାଙ୍କ ନିକଟରେ ଆଡଲ୍ଟ ବା ବଡଙ୍କ ତୁଳନାରେ ଇନଫେକସନ ବା ସଂକ୍ରମଣ ଭୟ କମ୍ ରହିଥାଏ । ସେ କହିଛନ୍ତି ସଂକ୍ରମଣ ସମୟରେ ୟୁରୋପର କିଛି ଦେଶ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ବି ପ୍ରାଇମେରୀ ସ୍କୁଲ ଖୋଲା ରଖିଥିଲେ । ତେଣୁ ଆରମ୍ଭରୁ ପ୍ରାଇମେରୀ ସ୍କୁଲ ଖୋଲାଯାଇପାରେ ଏହାପରେ ସେକେଣ୍ଡାରୀ ସ୍କୁଲ ଖୋଲାଯାଇପାରେ । ଡା. ଭାର୍ଗବ କହିଛନ୍ତି ବଡଙ୍କ ତୁଳନାରେ ଛୋଟପିଲା ଭାଇରସକୁ ଅତି ସହଜରେ ହ୍ୟାଣ୍ଡେଲ କରିପାରନ୍ତି । ଶିଶୁଙ୍କ ଲଙ୍ଗସ୍‌ରେ ଏସିଇ ରିସେପ୍ଟରର୍ସ କମ୍ ରହିଥାଏ, ଯାହାକୁ ଭାଇରସ ସଂକ୍ରମଣ କରିଥାଏ । ତେଣୁ ସେମାନଙ୍କୁ ଇନଫେକ୍ସନ କମ୍ ହୋଇଥାଏ । ଅନ୍ୟପଟେ ୬-୯ ବର୍ଷର ଶିଶୁଙ୍କଠାରେ ୫୭.୨% ଆଣ୍ଟିବଡି ଦେଖାଯାଇଛି ଯାହା ବଡଙ୍କ ସହ ସମାନ ହୋଇପାରେ । ତେଣୁ ପ୍ରଥମରୁ ପ୍ରାଇମେରୀ ସ୍କୁଲ ଖୋଲାଯାଇପାରେ । ହେଲେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ପିଲାମାନଙ୍କୁ ନେବା ଆଣିବା କରୁଥିବା ବସ୍ ଡ୍ରାଇଭର ବି ଭ୍ୟାକ୍ସିନ ବା ଟିକା ନେଇଥିବା ଜରୁରୀ ।

Share