Categories: ଜାତୀୟ

NEET-UG ପେପର୍‌ ଲିକ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପୁନଃ ପରୀକ୍ଷା ହେବ ନାହିଁ …

ନୂଆଦିଲ୍ଲୀ,୨୩।୭: ନିଟ୍‌ ୟୁଜି-୨୦୨୪ ପରୀକ୍ଷା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଦେଇଛନ୍ତି। ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ଉପରେ ନିର୍ଭର କରୁଛି। ଏଣୁ ପୁନଃପରୀକ୍ଷା କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଛନ୍ତି। ପେପର ଲିକ୍‌କୁ ନେଇ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି। ତେବେ ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି ହୋଇଥିଲା।

ସୁପ୍ରିମକୋର୍ଟ ମଙ୍ଗଳବାର ଏହି ଆବେଦନ ଉପରେ ଶୁଣାଣି କରି ପୁନଃପରୀକ୍ଷା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଦିଆ ଯାଇଥିବା ତଥ୍ୟରେ ଯଥେଷ୍ଟ ପ୍ରମାଣ ନାହିଁ, ତେଣୁ ପୁନଃପରୀକ୍ଷା କରାଯିବ ନାହିଁ। ସିବିଆଇ ପକ୍ଷରୁ କରାଯାଇଥିବା ଯାଞ୍ଚରେ ୧୫୫ଜଣ ଛାତ୍ର ଲିକ୍‌ ଯୋଗୁ ଲାଭ ଉଠାଇଥିବା ଜଣାପଡ଼ିଛି। ଆଇଆଇଟି ମାଡ୍ରାସ ରିପୋର୍ଟ ଅନୁଯାୟୀ ସାରା ଦେଶରେ ପେପର୍‌ ଲିକ୍‌ ହୋଇନାହିଁ। ଏଣୁ ପୁଣିଥରେ ପରୀକ୍ଷା କରାଗଲେ ଲକ୍ଷ ଲକ୍ଷ ଛାତ୍ର ପ୍ରଭାବିତ ହେବେ। ମେଡିକାଲ ପଢ଼ା ଆରମ୍ଭ ହେବାରେ ବିଳମ୍ବ ହେବ। ଭବିଷ୍ୟତରେ ପ୍ରଶିକ୍ଷିତ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହୋଇପାରେ। ସମାଜର ବଞ୍ଚିତ ବର୍ଗରୁ ମନୋନୀତ ଛାତ୍ରମାନେ ଅଧ୍ୟୟନ କରିବାର ସୁଯୋଗ ହରାଇବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏହି ମାମଲାରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ଏବଂ ଏନ୍‌ଟିଆର୍‌ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିଭଳି ନିଟ୍‌ ପ୍ରବେଶିକା ପରୀକ୍ଷା ବାତିଲ କରିବାକୁ ଚାହୁଁଥିବା ସମସ୍ତ ଆବେଦନ ଉପରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼, ବିଚାରପତି ଜେ ବି ପାରଦୀଓ୍ବାଲା, ମନୋଜ ମିଶ୍ରଙ୍କ ବେଞ୍ଚ ଶୁଣାଣି ଶେଷ କରିଛି।

Share