Categories: ଜାତୀୟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ କମିଛି: ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେବେ କରୋନା ପିକ୍‌ ବିଷୟରେ କୌଣସି ସରକାରୀସ୍ତରରେ ନିଶ୍ଚିତକରଣ ହୋଇନାହିଁ। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ରିପୋର୍ଟ କରିଛି ଯେ, ଗତ ସପ୍ତାହରେ କରୋନା ଭୂତାଣୁ ସଂକ୍ରମଣ ଭାରତରେ ୧୩ ପ୍ରତିଶତ ହ୍ରାସ ଘଟିଛି, ଯାହାକି ଭଲ ଅଟେ। ଡବ୍ଲ୍ୟୁଏଚ୍‌ଓ କହିଛି ଯେ, ଗତ ସପ୍ତାହରେ ଭାରତରେ କରୋନା ସମ୍ପର୍କିତ ମାମଲା ଯଦିଓ କମିଛି ତଥାପି ଏହା ବିଶ୍ୱରେ ସର୍ବୋଚ୍ଚ ଅଟେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଜାତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ମେ’ ୧୬ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ସାପ୍ତାହିକ କରୋନା ଏପିଡେମୋଲୋଜିକାଲ ଅପଡେଟ ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ବିଶ୍ୱରେ ୪୮ ଲକ୍ଷ ନୂତନ ମାମଲା ଏବଂ ୮୬,୦୦୦ ନୂତନ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି। ବିଶ୍ୱରେ ନୂତନ ମାମଲା ୧୨ ପ୍ରତିଶତ ଏବଂ ମୃତ୍ୟୁରେ ୫ ପ୍ରତିଶତ ହ୍ରାସ ପାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ବହୁ ସଂଖ୍ୟକ ସଂକ୍ରମଣ ସତ୍ତ୍ୱେ ପ୍ରତି ୧୦୦ ଜଣଙ୍କ ମଧ୍ୟରେ ମାମଲା ବହୁତ କମ୍‌। ଭାରତରେ ୧.୮ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥି ସହିତ ଆମେରିକାରେ ୧୦.୧ ପ୍ରତିଶତ, ବ୍ରାଜିଲରେ ୭.୩ ପ୍ରତିଶତ, ଫ୍ରାନ୍ସରେ ୯ ପ୍ରତିଶତ, ତୁର୍କୀରେ ୬ ପ୍ରତିଶତ, ରୁଷିଆରେ ୩.୪ ପ୍ରତିଶତ, ଇଟାଲୀରେ ୭.୪ ପ୍ରତିଶତ, ଜର୍ମାନୀରେ ୪.୩ ପ୍ରତିଶତ, ଆର୍ଜେଣ୍ଟିନାରେ ୭.୩ ପ୍ରତିଶତ ଏବଂ କଲମ୍ବିଆରେ ୬.୧ ପ୍ରତିଶତ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି।

Share