ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘରେ ପହଞ୍ଚିଲା ବିଦ୍ରୋହ ନିଆଁ: ୪୦ହଜାର ଟନ୍‌ ଡିଜେଲ ପଠାଇଲା ଭାରତ

କଲମ୍ବୋ,୬।୪: ସୁନାର ଲଙ୍କା ଏବେ କାଙ୍ଗାଳ ହେବାରେ ଲାଗିଛି। ଖାଦ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇଛି। ପରିସ୍ଥିତି ଏଭଳି ହେଲାଣି ଯେ, ସେଠାକାର ଲୋକେ ଏବେ ଅନ୍ୟ ଦେଶଗୁଡ଼ିକରେ ଶରଣ ନେଉଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଅନୁଯାୟୀ ବର୍ତ୍ତମାନ ଦେଶର ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଦେଖାଦେଇଛି। ରାଷ୍ଟ୍ରପତିଙ୍କୁ ହଟାଇବାକୁ ପୁରା ଦେଶ ଦାବି କରୁଥିବା ବେଳେ କିନ୍ତୁ ଗୋଟାବାୟା ରାଜପାକ୍‌ସେ ପୁଣିଥରେ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। କିନ୍ତୁ ଶ୍ରୀଲଙ୍କାର ପୁରା କ୍ୟାବିନେଟ ସାମୂହିକ ଭାବେ ଇସ୍ତଫା ଦେଇସାରିଛି। ଏହାପରେ ନୂତନ ଅର୍ଥମନ୍ତ୍ରୀ ନିଯୁକ୍ତ ହୋଇଥିଲେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ସେ ମଧ୍ୟ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ପଠାଇଦେଇଛନ୍ତି। ଏଥିସହ କାମଚଳା ସରକାର ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ଯେତେବେଳେ ଜନ ବିଦ୍ରୋହର ନିଆଁ ଶାସକମାନଙ୍କ ଘରକୁ ପହଞ୍ଚିଲା ସେତେବେଳେ ସେମାନେ ଅନୁଭବ କଲେ ଯେ, ଏହି ସମସ୍ୟା ଉପରେ ଆଲୋଚନା କରିବା ଆବଶ୍ୟକ। ବର୍ତ୍ତମାନ ରାଜପାକ୍‌ସେଙ୍କ ସରକାର ସଂସଦରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବିତର୍କ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଓ ଗୁରୁବାର ୨ଦିନ ଧରି ସଂସଦରେ ଏହି ବିଷୟରେ ଆଲୋଚନା ହେବ। ଅନ୍ୟପଟେ ଇତିହାସର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ପକ୍ଷରୁ ସହାୟତାର ହାତ ବଢ଼ିଛି। ପୂର୍ବରୁ ଆର୍ଥିକ ସହାୟତା ସହ ଖାଦ୍ୟ ଯୋଗାଇଥିବା ବେଳେ ଏବେ ଭାରତ ସରକାର ଶ୍ରରଲଙ୍କାକୁ ୪୦ହଜାର ଟନ୍‌ ଡିଜେଲ ପଠାଇଥିବା ଜଣାପଡ଼ିଛି।

Share