ଚୋକ୍‌ସିଙ୍କ ପ୍ରତ୍ୟର୍ପଣ ପାଇଁ ଡୋମିନିକାକୁ ଡକ୍ୟୁମେଣ୍ଟ ପଠାଇଲା ଭାରତ

ନୂଆଦିଲ୍ଲୀ, ୩୦।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରୁ ୯ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ ପ୍ରତ୍ୟର୍ପଣ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଡୋମିନିକାକୁ ପଠାଇଛି ଭାରତ। ପଳାତକ ହୀରା ବ୍ୟବସାୟୀ ଏବେ କାରିବିଆନ ଦ୍ୱୀପ ଦେଶରେ ବନ୍ଧକ ଅଛନ୍ତି। ଆଣ୍ଟିଗୁଆରୁ ଫେରାର ହୋଇ କ୍ୟୁବା ଯିବାକୁ ଉଦ୍ୟମ କରୁଥିବାବେଳେ ଧରାପଡ଼ିଥିଲେ। ୨୦୧୮ଠାରୁ ଆଣ୍ଟିଗୁଆର ନାଗରିକତ୍ୱ ନେଇ ସେଠାରେ ରହୁଥିଲେ ୬୨ ବର୍ଷୀୟ ଚୋକ୍‌ସି।

ସୂତ୍ରରୁ ଜଣାପଡ଼ିଛି, ଭାରତର ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ଚୋକ୍‌ସିଙ୍କ ଉପରେ ଥିବା ମାମଲାର ଫାଇଲ ଡୋମିନିକାକୁ ପଠାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଚୋକ୍‌ସିଙ୍କ ପ୍ରତ୍ୟର୍ପଣ ପାଇଁ ଡୋମିନିକା ଓ ଆଣ୍ଟିଗୁଆ ସରକାରଙ୍କ ଯୋଗାଯୋଗରେ ଅଛି। ଏଥିରେ ସିବିଆଇ ଓ ଇଡି ମାମଲାର ସମ୍ପୂର୍ଣ୍ଣ ତଥ୍ୟ ଯୋଗାଇବାରେ ସାହାଯ୍ୟ କରୁଛନ୍ତି।

ଭାରତ ସରକାର ପଳାତକ ଚୋକ୍‌ସିଙ୍କ ମାମଲାରେ ସମସ୍ତ ଡକ୍ୟୁମେଣ୍ଟ ପଠାଇଛନ୍ତି। ବୁଧବାର ହେବାକୁ ଥିବା ଶୁଣାଣିବେଳେ ଉକ୍ତ ଡକ୍ୟୁମେଣ୍ଟ ବ୍ୟବହାର କରାଯିବ ବୋଲି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟୋନ ବ୍ରାଉନେ କହିଛନ୍ତି।

Share