ଦକ୍ଷିଣ ଚାଇନା ସି’କୁ ଯୁଦ୍ଧଜାହାଜ ପଠାଇଲା ଭାରତ

ନୂଆଦିଲ୍ଲୀ, ୪।୮: ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ସୁରକ୍ଷା ସମ୍ପର୍କ ବୃଦ୍ଧି ପାଇଁ ଭାରତ ଚଳିତ ମାସରେ ସାଉଥ୍‌ ଚାଇନା ସି’କୁ ଯୁଦ୍ଧଜାହାଜ ପଠାଇଛି। ଗୋଟିଏ ଗାଇଡେଡ୍‌ ମଶାଇଲ୍‌ ଡେଷ୍ଟ୍ରୟର ଓ ଗୋଟିଏ ମିଶାଇଲ୍‌ ପ୍ରିଗେଟ ସହ ଭାରତର ୪ଟି ଯୁଦ୍ଧଜାହାଜ ଦକ୍ଷଣପୂର୍ବ ଏସିଆ, ସାଉଥ୍‌ ଚାଇନା ସି ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ୨ ମାସ ପାଇଁ ମୁତୟନ କରାଯିବ। ଏ ନେଇ ନୌସେନା ପକ୍ଷରୁ ବୁଧବାର କୁହାଯାଇଛି।

ଉକ୍ତ ଅଞ୍ଚଳରେ ଚାଇନାର ପ୍ରଭାବକୁ ପ୍ରତିହତ କରିବାକୁ ଚାହୁଁଛି ଭାରତ। ଚାଇନାର ବିସ୍ତାରବାଦ ନୀତିକୁ ଭାରତୀୟ ସେନା ପାରମ୍ପରିକ ଭାବେ ବିରୋଧ କରିଆସୁଥିବା ବେଳେ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତବର୍ଷ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉକ୍ତ ବିରୋଧ ଆହୁରି ଶାଣିତ ହୋଇଛି। ଚାଇନାକୁ ବିରୋଧ କରିବା ପାଇଁ ଭାରତ ଆମେରିକାର ନିକଟତର ହୋଇଛି। ଚଳିତ ମାସରେ ବ୍ରିଟିଶ ଯୁଦ୍ଧଜାହାଜ ଫିଲିପାଇନ୍ସ ସମୁଦ୍ରରେ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି। ଭାରତୀୟ ଯୁଦ୍ଧଜାହାଜ ସେଠାରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ସହ ବାର୍ଷିକ ମିଳିତ ସମରାଭ୍ୟାସରେ ସାମିଲ ହେବ।

Share