Categories: ଖେଳ

ଭାରତର ସିରିଜ୍‌ ସୁଇପ୍‌

ହରାରେ,୨୩ା୮: ଓପ୍‌ନର ଶୁବମନ ଗିଲ୍‌ଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ସହାୟତାରେ ଭାରତ ସୋମବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ୍‌ ଜିତିବା ସହ ଜିମ୍ବାଓ୍ବେ ବିପକ୍ଷ ସିରିଜ୍‌କୁ ସୁଇପ୍‌ କରିଛି। ଭାରତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୨୮୯ ରନ୍‌ କରିଥିଲା। ଜବାବରେ ସିକନ୍ଦର ରାଜାଙ୍କ ଲଢୁଆ ଶତକ ସତ୍ତ୍ୱେ ଜିମ୍ବାଓ୍ବେ ୪୯.୩ ଓଭରରେ ୨୭୬ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଫଳରେ ଘରୋଇ ଦଳ ବିଜୟଠାରୁ ୧୩ ରନ୍‌ ଦୂରରେ ରହିଥିଲା।
କ୍ରମାଗତ ତୃତୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତିଥିବା ବେଳେ ପ୍ରଥମଥର ପାଇଁ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଶିଖର ଧାଓ୍ବନ(୪୦) ଓ ଅଧିନାୟକ ଲୋକେଶ ରାହୁଲ(୩୦) ପ୍ରଥମ ଉଇକେଟରେ ୬୩ ରନ୍‌ ଯୋଡ଼ିଥିଲେ। ପ୍ରଥମେ ରାହୁଲ ଓ ୧୯ ରନ୍‌ ବ୍ୟବଧାନରେ ଧାଓ୍ବନ ପାଭିଲିୟନ ଫେରିଥିଲେ। ଚତୁର୍ଥ ଉଇକେଟରେ ଶୁବମନ ଗିଲ୍‌(୧୩୦) ଓ ଇଶାନ୍‌ କିଶନ୍‌(୫୦) ୧୪୦ ରନ୍‌ ଭାଗୀଦାରି ଗଢ଼ି ଭାରତକୁ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ। ୯୭ ବଲ୍‌ ଖେଳି ୧୫ ଚୌକା ଓ ୧ ଛକା ସହିତ ଗିଲ୍‌ ୧୩୦ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ଜିମ୍ବାଓ୍ବେ ମାଟିରେ ସର୍ବକନିଷ୍ଠ ବ୍ୟାଟର ଭାବେ ଶତକ ହାସଲ କରି ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। କିଶନ ୬୧ଟି ବଲ୍‌ ଖେଳି ୬ ଚୌକା ମାରିଥିଲେ। ତେବେ ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଭାରତ ୩୦୦ ରନ୍‌ ସ୍ପର୍ଶ କରିବାରେ ଅସମର୍ଥ ରହିଥିଲା। ଜିମ୍ବାଓ୍ବେ ପକ୍ଷରୁ ବ୍ରାଡ ଇଭାନ୍ସ ୫ ଉଇକେଟ ସଫଳତା ପାଇଥିବା ବେଳେ ଲ୍ୟୁକ୍‌ ଜଙ୍ଗଓ୍ବେ ଓ ଭିକ୍ଟର ନାୟୁଚି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ॥
୨୯୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଜିମ୍ବାଓ୍ବେକୁ ମ୍ୟାଚର ତୃତୀୟ ଓଭରରେ ପ୍ରଥମ ଝଟକା ଦେଇଥିଲେ ଦୀପକ ଚହର। ଇନୋସେଣ୍ଟ କାଇଆ ୬ ରନ୍‌ କରି ଆଉଟ ହୋଇଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ ଅନ୍ୟତମ ଓପ୍‌ନର କାଇଟାନୋ। ସିନ୍‌ ଓ୍ବିଲିୟମ୍ସ(୪୫) ଓ ଟୋନି ମୁନିଓଙ୍ଗା(୧୫)ଙ୍କ ମଧ୍ୟରେ ୭୫ ରନ୍‌ର ଭାଗୀଦାରି ହୋଇଥିଲେ ହେଁ ମାତ୍ର ୨ ରନ୍‌ ବ୍ୟବଧାନରେ ଉଭୟ ପାଭିଲିୟନ୍‌ ଫେରିଥିଲେ। ଗୋଟିଏପଟେ ସିକନ୍ଦର ରାଜା(୧୧୫) ଇନିଂସ ସମ୍ଭାଳିବାକୁ ପ୍ରୟାସ କରୁଥିବା ବେଳେ ଅନ୍ୟପାର୍ଶ୍ୱରୁ ଗୋଟିଏ ପରେ ଗୋଟିଏ ଉଇକେଟ ପଡ଼ିଚାଲିଥିଲା। ଦଳୀୟ ସ୍କୋର ୧୬୯ରେ ଲୁକ୍‌ ଜଙ୍ଗଓ୍ବେ(୧୪) ସପ୍ତମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହେବା ପରେ ରାଜା ଆକ୍ରମଣ ଆରମ୍ଭ କରିଥିଲେ। ବ୍ରାଡ୍‌ ଇଭାନ୍ସ(୨୮)ଙ୍କୁ ସାଥିକରି ମାତ୍ର ୧୨.୧ ଓଭରରେ ଯୋଡ଼ିଥିଲେ ୧୦୪ ରନ୍‌। ୯୫ ବଲ୍‌ ଖେଳି ୯ ଚୌକା ଓ ୩ ଛକା ସହିତ ୧୧୫ ରନ୍‌ କରିଥିବା ରାଜା ମ୍ୟାଚ୍‌ର ୪୯ତମ ଓଭରରେ ଆଉଟ ହେବା ସହିତ ଜିମ୍ବାଓ୍ବେର ବିଜୟ ଆଶା ମଉଳି ଯାଇଥିଲା। ଭାରତ ପକ୍ଷରୁ ଆଭେଶ ଖାନ୍‌ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଦୀପକ ଚହର, କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ମିଳିଥିଲା ୨ଟି ଲେଖାଏ ଉଇକେଟ। ସିକନ୍ଦର ରାଜାଙ୍କ ପ୍ରାଇଜ୍‌ ଉଇକେଟ୍‌ଟି ଶାର୍ଦ୍ଦୂଳ ଠାକୁରଙ୍କ ଖାତାକୁ ଯାଇଥିଲା। ଶୁବମନ ଗିଲଙ୍କୁ ଉଭୟ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ପ୍ଲେୟର୍‌ ଅଫ୍‌ ଦି ସିରିଜ ଘୋଷଣା କରାଯାଇଥିଲା।

Share