ମୁମ୍ବାଇ,୬।୧୦ : ଟି୨୦ ବିଶ୍ୱକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଜଣେ ପେସରଙ୍କ ଅଭାବ ରହିଛି। ଏଭଳି କହିଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍ଏସ୍କେ ପ୍ରସାଦ। ଟି୨୦ ବିଶ୍ୱକପ୍ ଆସନ୍ତା ୧୭ ତାରିଖରୁ ୟୁଏଇ ଓ ଓମାନରେ ଖେଳାଯିବ।
ଏହା ଏକ ଭଲ ଦଳ। କିନ୍ତୁ ମୋତେ ଲାଗୁଛି ଜଣେ ପେସରଙ୍କ ଅଭାବ ରହିଛି। କାରଣ ଆମେ ପ୍ରାୟତଃ ମ୍ୟାଚ୍ ଦୁବାଇ ଓ ଆବୁଧାବିରେ ଖେଳିବା। ଏଠାକାର ପିଚ୍ରେ ଜଣେ ଅତିରିକ୍ତ ପେସରଙ୍କୁ ଖେଳାଇବା ଦରକାର। ଆଉ ଦଳକୁ ମନେ ରଖିବାର ଅଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବେ ନାହିଁ। ମୋ ମତରେ ଏହା ଦଳ ଲାଗି ଚିନ୍ତାର କାରଣ ବୋଲି ୪୬ ବର୍ଷୀୟ ପୂର୍ବତନ କ୍ରିକେଟର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଟି୨୦ ବିଶ୍ୱକପ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତା ୨୪ ତାରିଖରେ ତା’ର ପ୍ରଥମ ମ୍ୟାଚ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।