ଦୁବାଇ,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିପାରେ ପାକିସ୍ତାନର ଟପ୍ ଅର୍ଡର। ଏବେ ଫୁଲ ଫର୍ମରେ ଅଛି ଅଧିନାୟକ ବାବର ଆଜାମ ଓ ମହମ୍ମଦ ରିଜଓ୍ବାନଙ୍କ ଓପନିଂ ଯୋଡ଼ି। ରିଜଓ୍ବାନ ଚଳିତ ବର୍ଷ ଟି୨୦ ଫର୍ମାଟରେ ସର୍ବାଧିକ ରନ୍ କରିଥିବା ବ୍ୟାଟର। ୩୩ ଇନିଂସରୁ ୫୬.୨୩ ହାରରେ ସେ ୧୪୬୨ ରନ୍ କରିଛନ୍ତି। ଏଥିରେ ଏକ ଶତକ ସହ ୧୩ ଅର୍ଦ୍ଧଶତକ ରହିଛି। ସାଥି ଓପନର ତଥା ଅଧିନାୟକ ବାବର ଅଧିକ ତାଙ୍କ ଠାରୁ ପଛରେ ନାହାନ୍ତି। ସେ ୨୦୨୧ରେ ୨ ଶତକ ଓ ୧୩ ଅର୍ଦ୍ଧଶତକ ସହ ୧୩୬୩ ରନ୍ କରିଛନ୍ତି।
ଟି୨୦ ଫର୍ମାଟରେ ଏହି ଯୋଡ଼ି ୫୦ ହାରରେ ରନ୍ ସଂଗ୍ରହ କରୁଛି। ତୃତୀୟ କ୍ରମରେ ଅଛନ୍ତି ଫଖର ଜାମନଙ୍କ ଭଳି ବିସ୍ଫୋରକ ବ୍ୟାଟର। ବର୍ତ୍ତମାନ ତାଙ୍କ ଫର୍ମ ସେତେଟା ଭଲ ନାହିଁ। କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଟପ୍ ଅର୍ଡରରେ ଲଗାତାର ଖେଳାଉଛି। ଏଣୁ ପାକିସ୍ତାନର ଟପ୍ ଅର୍ଡର ଭାରତୀୟ ଦଳର ବୋଲରଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବ ନିଶ୍ଚିତ।