Categories: ଖେଳ

ଟିମ୍‌ ଇଣ୍ଡିଆକୁ ପରାମର୍ଶ ଦେଲେ ନ୍ୟୁଜିଲାଣ୍ଡ କୋଚ୍‌

ନୂଆଦିଲ୍ଲୀ,୯।୬ : ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୟୁକେର ସାଉଥାମ୍ପଟନଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍‌। ନ୍ୟୁଜିଲାଣ୍ଡ ଦଳର କୋଚ୍‌ ମାଇକ ହେସନ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ କିଛି ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳ ଅଭିଜ୍ଞ ରୋହିତ ଶର୍ମାଙ୍କ ସହ ଶୁବମନ ଗିଲଙ୍କୁ ଓପନିଂ କରାଇବ। କିନ୍ତୁ ତାଙ୍କ ମତରେ ରୋହିତଙ୍କ ସହ ମୟଙ୍କ ଅଗ୍ରଓ୍ବାଲଙ୍କୁ ଓପନିଂ ଲାଗି ବାଛିବା ଦରକାର। କାରଣ ସେ ନ୍ୟୁଜିଲାଣ୍ଡରେ ନ୍ୟୁଜିଲାଣ୍ଡ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। ସେଠାରୁ ସେ ଅଭିଜ୍ଞତା ହାସଲ କରିଥିବେ।

କୋଭିଡ୍‌-୧୯ କଟକଣା କାରଣରୁ ଭାରତୀୟ ଦଳ ପାଖରେ ପ୍ରସ୍ତୁତି ପାଇଁ କମ୍‌ ସମୟ ରହିଛି। ଅନ୍ୟପକ୍ଷରେ ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଇଂଲଣ୍ଡ ସହ ଦୁଇଟି ଟେଷ୍ଟ ଖେଳୁଥିବାରୁ ନ୍ୟୁଜିଲାଣ୍ଡ ବେଶ୍‌ ଫାଇଦାରେ ରହିବ। ତେବେ ଏଥିସହ ହେସନ ଏକମତ ନୁହନ୍ତି। ୪ ଦିନର ବ୍ୟବଧାନରେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବା ଏକ ସମସ୍ୟା। ବୋଲିଂ ଆକ୍ରମଣ ଉପରେ ଆମକୁ ନଜର ରଖିବାକୁ ପଡ଼ୁଛି। ଏହି କାରଣରୁ ଟ୍ରେଣ୍ଟ ବୋଲ୍ଟ ପ୍ରଥମ ମ୍ୟାଚ୍‌ ଖେଳି ନ ଥିଲେ ବୋଲି ହେସନ କହିଛନ୍ତି। ଏହାବାଦ୍‌ ଟିମ୍‌ ଇଣ୍ଡିଆ ୩ ପେସରଙ୍କ ସହ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇବା ଦରକାର। କାରଣ ନ୍ୟୁଜିଲାଣ୍ଡ ଦଳରେ ୫ ବାମହାତୀ ଓ ୬ ଡାହାଣହାତୀ ବ୍ୟାଟ୍ସମ୍ୟାନ ରହିଛନ୍ତି। ୫ ପ୍ରମୁଖ ବୋଲର ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ମତ ଦେଇଛନ୍ତି ୪୬ ବର୍ଷୀୟ ହେସନ।

Share