Categories: ଖେଳ

ଫିଫା ୨୦୩୪ ବିଶ୍ୱକପ୍‌ର କିଛି ମ୍ୟାଚ୍ ଆୟୋଜନ କରିବାକୁ ଚିନ୍ତା କରୁଛି ଭାରତ

ନୂଆଦିଲ୍ଲୀ,୧୭/୧୨: ୨୦୩୪ ଫିଫା ବିଶ୍ୱକପ୍ ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର କିଛି ମ୍ୟାଚ୍ ଆୟୋଜନ କରିବାକୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (ଏଆଇଏଫଏଫ) ଯୋଜନା କରୁଛି। ଅକ୍ଟୋବର ୩୧ ତାରିଖ ପରେ ଫିଫା ନିଶ୍ଚିତ କରିଥିଲା ଯେ ୨୦୩୪ ବିଶ୍ୱକପ ପାଇଁ ସାଉଦି ଆରବ ଏକମାତ୍ର ବିଡର ଅଟେ।

ଅକ୍ଟୋବର ୧୮ ରେ ଅନୁଷ୍ଠିତ ଏସିଆନ ଫୁଟବଲ କନଫେଡେରେସନର ଏକ ଜରୁରୀକାଳୀନ ବୈଠକରେ ସାଉଦି ଆରବର ବିଡକୁ ଭାରତ ସମର୍ଥନ କରିଥିଲା। ବର୍ତମାନ ଏହା ଜାଣିବାକୁ ମିଳିଛି ଯେ ଏଆଇଏଫଏଫ ସଭାପତି କଲ୍ୟାଣ ଚୋୖବେ କାର‌୍ୟ୍ୟନିର୍ବାହୀ କମିଟି ସଦସ୍ୟଙ୍କୁ କହିଛନ୍ତି ଯେ ୨୦୩୪ ବିଶ୍ୱକପ୍‌ର କିଛି ମ୍ୟାଚ୍ ଆୟୋଜନ କରିବାକୁ ଭାରତ ଚିନ୍ତା କରିବା ଉଚିତ୍।

୪୮ ଟିମକୁ ନେଇ ୨୦୩୪ ବିଶ୍ୱକପରେ ୧୦୪ ଟି ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ସେଥି ମଧ୍ୟରୁ କିଛି (ପ୍ରାୟ ୧୦ ଟି ମ୍ୟାଚ୍) ଭାରତରେ ଅନୁଷ୍ଠିତ ହୋଇପାରେ। ନଭେମ୍ବର ୯ ରେ ଅନୁଷ୍ଠିତ ଏଆଇଏଫଏଫ କାର୍ଯ୍ୟନିର୍ବାହୀ କମିଟିର ଡ୍ରାଫ୍ଟରେ କୁହାଯାଇଛି ଯେ ୨୦୩୪ ମସିହାରେ ବିଶ୍ୱକପ ପାଇଁ ସହଯୋଗୀ ଆୟୋଜକ ହେବା ଦିଗରେ କାର୍ଯ୍ୟ କରିବାକୁ ଭାରତ ଚିନ୍ତା କରିବା କିମ୍ବା ଯୋଜନା କରିବା ଉଚିତ ବୋଲି ଚୋୖବେ ବୈଠକରେ କହିଥିଲେ।

ତିନି ମହାଦେଶରେ (ଆଫ୍ରିକା, ୟୁରୋପ ଏବଂ ଦକ୍ଷିଣ ଆମେରିକା) ୨୦୩୦ ସଂସ୍କରଣ ଆୟୋଜନ କରିବାକୁ ନିଷ୍ପତ୍ତି ନେବା ପରେ ଫିଫା ୨୦୩୪ ବିଶ୍ୱକପ୍‌ର ହୋଷ୍ଟିଂ ଯୋଗ୍ୟତାକୁ ଏସିଆ କିମ୍ବା ଓସେନିଆରେ ସୀମିତ ରଖିଥିଲା। ୨୦୨୭ରେ ଏଏଫସି ଏସିଆ କପ୍ ଆୟୋଜନରୁ ଭାରତ ଓହାରୀ ଯିବା ପରେ ସାଉଦି ଆରବ ଏହାକୁ ମଧ୍ୟ ଆୟୋଜନ କରୁଛି।

Share