Categories: ଖେଳ

ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ: ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କଲା ଭାରତ

ସାଉଥମ୍ପଟନ,୮।୭: ସାଉଥମ୍ପଟନରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କରିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୫୧ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହାର ଜବାବରେ ଇଂଲଣ୍ଡ ଦଳ ୧୯.୩ ଓଭରରେ ୧୪୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଚମତ୍କାର ବ୍ୟାଟିଂ କରିବା ପରେ ହାର୍ଦ୍ଦିକ ମଧ୍ୟ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ। ସେ ଚାରି ଓଭରରେ ୩୩ ରନ ଦେଇ ୪ଟି ଉଇକେଟ ନେଇଥିଲେ। ତାଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ୨୯ ରନ୍‌ ସ୍କୋରରେ ଭାରତ ପ୍ରଥମ ଝଟକା ପାଇଥିଲା। ପାଞ୍ଚ ଚୌକା ସହାୟତାରେ ଅଧିନାୟକ ରୋହିତ ଶର୍ମା ୧୪ଟି ବଲରେ ୨୪ ରନରେ ଆଉଟ୍‌ ହୋଇଥିଲେ। ଏହା ପରେ ୧୦ଟି ବଲରେ ୮ ରନ ସ୍କୋର କରିବା ପରେ ଇଶାନ କିଶନଙ୍କୁ ମଧ୍ୟ ଆଉଟ୍‌ କରାଯାଇଥିଲା। ଉଭୟଙ୍କୁ ସ୍ପିନର ମୋଇନ ଅଲିଙ୍କ ପାଭିଲିୟନକୁ ପଠାଇଥିଲେ।ଏହା ପରେ ଦୀପକ ହୁଦା କିଛି ଭଲ ସଟ ମାରିଥିଲେ। ତେବେ ତିନି ଚୌକା ଓ ଦୁଇଟି ଛକା ସହାୟତାରେ ସେ ୧୭ ବଲରେ ୩୩ ରନରେ ଆଉଟ୍‌ ହୋଇଥିଲେ।
ଏହା ପରେ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ଉଇକେଟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ୩୭ ରନ ଭାଗିଦାରୀ ବାଣ୍ଟିଥିଲେ। ଚାରିଟି ଚୌକା ଓ ଦୁଇଟି ଛକା ସହାୟତାରେ ୧୯ଟି ବଲରେ ୩୯ ରନରେ ସୂର୍ଯ୍ୟକୁମାର ଆଉଟ୍‌ ହୋଇଥିଲେ। ଅକ୍ଷର ପଟେଲ ୧୨ ବଲରୁ ୧୭ ରନ, ଦୀନେଶ କାର୍ତ୍ତିକ ୧୧ ବଲରୁ ୭ ରନ ଏବଂ ହର୍ଷଲ ପଟେଲ ୬ ବଲରେ ୩ ରନ କରିଥିଲେ। ଏହି ସମୟରେ ହାର୍ଦ୍ଦିକ ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୩ ବଲରୁ ୫୧ ରନରେ ଆଉଟ୍‌ ହୋଇଥିଲେ।
ଇଂଲଣ୍ଡ ପାଇଁ ମୋଇନ ଅଲି ଏବଂ କ୍ରିସ ଜୋର୍ଡାନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ରିସ ଟୋପଲି, ଟାଇମଲ ମିଲ୍ସ ଏବଂ ପାର୍କିନ୍ସନ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
୧୯୯ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦଳର ଆରମ୍ଭ ବହୁତ ଖରାପ ଥିଲା। ଦଳ ୩୩ ରନରେ ୪ଟି ଉଇକେଟ ହରାଇଥିଲା। ଭୁବନେଶ୍ୱର କୁମାର ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ। ସେ ଇନିଂସର ପ୍ରଥମ ଓଭରରେ ନବନିଯୁକ୍ତ ଇଂଲଣ୍ଡ ଅଧିନାୟକ ଜୋସ ବଟଲରଙ୍କୁ ଆଉଟ୍‌ କରିଥିଲେ। ବଟଲର୍‌ ଖାତା ମଧ୍ୟ ଖୋଲିପାରି ନ ଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ଓଭରରେ ଦୁଇଟି ଉଇକେଟ ନେଇଥିଲେ। ୟୁଜଭେନ୍ଦ୍ର ଚହଲ ୧୩ତମ ଓଭରରେ ହ୍ୟାରି ବ୍ରୁକ ଏବଂ ମୋଇନ ଅଲିଙ୍କୁ ପାଭିଲିୟନକୁ ପଠାଇଥିଲେ। ମୋଇନ ଚାରି ଚୌକା ଓ ଦୁଇଟି ଛକା ସହାୟତାରେ ୨୦ ବଲରୁ ୩୬ ରନ କରି ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ଇନିଂସ ୧୪୮ ରନରେ ଶେଷ ହୋଇଯାଇଥିଲା। କ୍ରିସ ଜୋର୍ଡାନ ୨୬ରେ ଅପରାଜିତ ରହିଥିଲେ। ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଉଇକେଟ ନେଇଥିଲେ। ଅର୍ଶଦୀପ ଏବଂ ଚହଲ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share