ଲାଞ୍ଚ କାରବାର ତାଲିକାରେ ତଳକୁ ଖସିଲା ଭାରତ, ଚାଇନା-ପାକିସ୍ତାନ-ବାଂଲାଦେଶ-ନେପାଳରେ ସ୍ଥିତି ଖରାପ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଲାଞ୍ଚ କାରବାର ମାମଲାରେ ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛି। ଗତ ବର୍ଷଠାରୁ ଏହା ୫ଟି ସ୍ଥାନ ତଳକୁ ଖସି ଆସିଛି। ଗତ ବର୍ଷ ୧୯୪ ଦେଶ ମଧ୍ୟରେ ଭାରତ ସ୍ଥାନ ୭୭ ଥିଲା। ତେବେ ଚଳିତ ବର୍ଷ ଭାରତ ୮୨ ସ୍ଥାନକୁ ଖସି ଆସିଛି। ଏଥିରୁ ଜଣାପଡୁଛି ଯେ, ଦେଶରେ ଲାଞ୍ଚ କାରବାର କମିବାରେ ଲାଗିଛି। ଲାଞ୍ଚ କାରବାର ବିଶ୍ୱ ସୂଚକାଙ୍କ ରିପୋର୍ଟ ପ୍ରସ୍ତୁତ କରୁଥିବା ଟିଆର୍‌ଏସିଇ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି।
ଚଳିତ ବର୍ଷର ରିପୋର୍ଟ ଅନୁଯାୟୀ ଲାଞ୍ଚ କାରବାରରେ ଉତ୍ତର କୋରିଆ, ତୁର୍କମେନିସ୍ତାନ, ଭେନେଜୁଏଲା ଏବଂ ଇରିଟ୍ରିଆ ଆଗରେ ରହିଛନ୍ତି। ଅପରପକ୍ଷରେ ଡେନମାର୍କ, ନରୱେ, ଫିନଲ୍ୟାଣ୍ଡ, ସ୍ବିଡେନ ଏବଂ ନ୍ୟୁଜିଲାଣ୍ଡରେ ଲାଞ୍ଚ କାରବାର କମ୍‌ ରହିଛି।

୨୦୨୦ରେ ୪୫ ପଏଣ୍ଟ ସହ ଭାରତ ୭୭ ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ୪୪ ପଏଣ୍ଟ ସହ ୮୨ ତମ ସ୍ଥାନରେ ରହିଛି। ଏହି ସ୍କୋର ଚାରୋଟି ମାନଦଣ୍ଡ ଉପରେ ଆଧାରିତ ହୋଇଥାଏ। ସେଗୁଡ଼ିକ ହେଉଛି ସରକାରଙ୍କ ସହିତ ବ୍ୟବସାୟିକ କଥାବାର୍ତ୍ତା, ଲାଞ୍ଚ ବିରୋଧୀ ପଦକ୍ଷେପର କାର୍ଯ୍ୟକାରିତା, ସରକାରୀ ଏବଂ ନାଗରିକ ସେବାରେ ସ୍ବଚ୍ଛତା ଏବଂ ନାଗରିକ ସମାଜକୁ ତଦାରଖ କରିବାର କ୍ଷମତା। ଏଥିରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ରିପୋର୍ଟରେ ଭାରତର ପଡୋଶୀ ଦେଶ ପାକିସ୍ଥାନ, ଚାଇନା, ନେପାଳ ଏବଂ ବାଂଲାଦେଶର ସ୍ଥିତି ଖରାପ ରହିଛି। ତାଲିକାରେ, ଭୁଟାନ ୬୨ ତମ ସ୍ଥାନରେ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଗତ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱର ଟ୍ରେଣ୍ଡ ତୁଳନାରେ ଆମେରିକାରେ ଲାଞ୍ଚ କାରବାର ସଙ୍କଟ ସୃଷ୍ଟି କରିଛି। ଆମେରିକାରେ ଲାଞ୍ଚ କାରବାର ବଢ଼ିବାରେ ଲାଗିଛି।

୨୦୨୦ ରୁ ୨୦୨୧ ମଧ୍ୟରେ, ସମସ୍ତ ଗଲ୍ଫ କୋଅପରେସନ କାଉନସିଲ (ଜିସିସି) ଦେଶଗୁଡିକରେ ଲାଞ୍ଚ କାରବାରରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଲାଞ୍ଚ କାରବାର ଉଜବେକିସ୍ତାନ, ଗାମ୍ବିଆ, ଆର୍ମେନିଆ, ମାଲେସିଆ ଏବଂ ଅଙ୍ଗୋଲାରେ କମିଛି ବୋଲି ତାଲିକାରେ ଦର୍ଶାଯାଇଛି।

Share