Categories: ଖେଳ

ମଉଳିଲା ଟିମ୍‌ ଇଣ୍ଡିଆର ଡବ୍ଲୁଟିସି ଫାଇନାଲ ଖେଳିବା ଆଶା

ନୂଆଦିଲ୍ଲୀ,୫ା୦୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜ ସମାପ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ଟେବଲ ପ୍ରକାଶ ପାଇଛି। ଏଜବାଷ୍ଟନ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ପଏଣ୍ଟ ଟେବଲରେ ତଳକୁ ଖସିଛି ଭାରତ। ଭାରତର ପଏଣ୍ଟ ପ୍ରତିଶତ ୫୩.୪୩ କୁ ଖସି ଆସିଥିବା ବେଳେ ଅଙ୍କ ତାଲିକାରେ ଦଳ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ଦୁଇ ସ୍ଥାନ ବଜାୟ ରଖିଥିବା ବେଳେ ଡବ୍ଲ୍ୟୁଟିସି ଫାଇନାଲ ଦୌଡରେ ସବୁଠାରୁ ଆଗୁଆ ରହିଛନ୍ତି।

ଚଳିତ ସିଜିନରେ ଭାରତ ୧୨ଟି ଟେଷ୍ଟ ଖେଳିଛି। ସେଥିରୁ ୪ଟିରେ ପରାଜୟ, ୬ଟିରେ ବିଜୟ ଏବଂ ୨ ମୁକାବିଲା ଡ୍ରରେ ଶେଷ ହୋଇଛି। ତେବେ ରାହୁଲ ଦ୍ରାବିଡଙ୍କ ଅଧୀନରେ ବିଦେଶ ମାଟିରେ ଦଳ କ୍ରମାଗତ ତୃତୀୟ ପରାଜୟ ହାସଲ କରିବା ଚିନ୍ତାର ବିଷୟ ପାଲଟିଛି। ଡବ୍ଲ୍ୟୁଟିସି ର଼୍ୟାଙ୍କିଙ୍ଗରେ ଭାରତ ପାକିସ୍ତାନ ଉପରକୁ ରହିଥିଲେ ହେଁ ଭାରତର ପଏଣ୍ଟକୁ ଦେଖିଲେ ଦଳ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲ ଟିକେଟ ମିସ୍‌ କରିବାକୁ ଯାଉଛି।

Share