ଭ୍ରମଣ-ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଲା ଭାରତ…

ନୂଆଦିଲ୍ଲୀ/କ୍ଲୋଗନୀ, ୨୫।୫ : ଭ୍ରମଣ ଏବଂ ପର୍ଯ୍ୟଟନ ପାଇଁ ସବୁଠାରୁ ଅନୁକୂଳ ଦେଶ ଦୃଷ୍ଟିରୁ ଭାରତ ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଛି। ଏହା ୫୪ ତମ ସ୍ଥାନକୁ ଖସି ଆସିଛି। ଏହାପୂର୍ବରୁ ୨୦୧୯ରେ ଭାରତ ୪୬ ତମ ସ୍ଥାନ ଅଧିକାର କରିଥିଲା। ଆମେରିକା, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ସ୍ବିଜରଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ସିଙ୍ଗାପୁର ଏବଂ ଇଟାଲୀ ତାଲିକାର ଶ୍ରେଷ୍ଠ ଦଶ ଦେଶ ମଧ୍ୟରେ ରହିଛନ୍ତି।

ଭ୍ରମଣ ଏବଂ ପର୍ଯ୍ୟଟନ ଉପରେ ସ୍ବିଜରଲାଣ୍ଡର କ୍ଲୋଗନୀଠାରେ ଥିବା ବିଶ୍ୱ ଅର୍ଥନୈତିକ ଫୋରମର ମୁଖ୍ୟାଳୟର ଦ୍ୱି ବର୍ଷୀୟ ଅଧ୍ୟୟନରୁ ଜଣାପଡିଛି ଯେ ମହାମାରୀ ପରେ ଭ୍ରମଣ ଏବଂ ପର୍ଯ୍ୟଟନ ର ସ୍ଥିତି ସୁଧୁରୁଛି। ତଥାପି, ଏହା ମଧ୍ୟ ସତ୍ୟ ଯେ ଏକ୍ଷେତ୍ରରେ କେତେକ ଚ୍ୟାଲେଞ୍ଜ ଏବେ ବି ରହିଛି। ଭ୍ରମଣ ଏବଂ ପର୍ଯ୍ୟଟନ ବିକାଶ ସୂଚକାଙ୍କରେ ବିଶ୍ୱର ୧୧୭ ଦେଶର ମୂଲ୍ୟାଙ୍କନ କରାଯାଇଛି। ଭ୍ରମଣ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାୟୀ ଏବଂ ସ୍ଥିର ଅଭିବୃଦ୍ଧି ଲାଗି ଅର୍ଥନୀତି ଉପରେ ଗୁରୁତ୍ୱାରୋପ କରାଯାଇଥାଏ।

ବିଶ୍ୱ ଅଥନୈତିକ ଫୋରମର ବିମାନ ଚଳାଚଳ, ଭ୍ରମଣ ଏବଂ ପର୍ଯ୍ୟଟନ ଅଧ୍ୟକ୍ଷ ଲୈରେନ ଆପିକ୍‌ କହିଛନ୍ତି ଯେ କରୋନା ସମୟରେ ଲକ୍‌ଡାଉନ୍‌ ଜାରି ହେବା ଦ୍ୱାରା ବିଶ୍ୱର ବହୁ ଦେଶରେ ଭ୍ରମଣ ଏବଂ ପର୍ଯ୍ୟଟନ ବାଧା ପ୍ରାପ୍ତ ହୋଇଛି। କରୋନା ପରେ ଆମେରିକା ବ୍ୟତୀତ, ୟୁରୋପ ଏବଂ ଏସିଆ ପାସିଫିକ ଅଞ୍ଚଳର ଶ୍ରେଷ୍ଠ ୧୦ଟି ଦେଶ ଜାନୁଆରୀ ୨୦୨୧ତୁଳନାରେ ଜାନୁଆରୀ ୨୦୨୨ରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ପାଇଛି।

Share