Categories: ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି-୨୦: ବର୍ଷା ସାଜିଛି ବାଧକ

ବେଙ୍ଗାଲୁରୁ,୧୯।୬: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚରେ ବର୍ଷା ବାଧକ ସାଜିଛି। ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟସ ପରେ ବର୍ଷା ଆରମ୍ଭ ହୋଇଯିବାରୁ ଖେଳ ପ୍ରାୟ ୨୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ବର୍ଷା ହେତୁ ମ୍ୟାଚ ୧୯-୧୯ ଓଭର ପାଇଁ ସ୍ଥିର ହୋଇଥିଲା। ଭାରତ ୨୮ ରନ୍‌ ସ୍କୋର କରିଥିବାବେଳେ ପୁଣି ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି କାରଣରୁ ଖେଳ ପୁଣି ବନ୍ଦ ହୋଇଯାଇଛି। ଖେଳ ବନ୍ଦ ହେବା ବେଳକୁ ଭାରତ ୩.୩ ଓଭରରେ ଦୁଇ ଉଇକେଟ ହରାଇ ୨୮ ରନ ସଂଗ୍ରହ କରିଥିଲା। ଅଧିନାୟକ ରିଷଭ ଷଭ ପନ୍ତ ଏକ ରନ୍‌ରେ ଅପରାଜିତ ଥିବାବେଳେ ଶ୍ରେୟାସ ଆୟର ଶୂନରେ ଅପରାଜିତ ଅଛନ୍ତି। ଇଶାନ କିଶନ (୧୫) ଏବଂ ରିତୁରାଜ ଗାଇକ୍ୱାଡ (୧୦) ପାଭିଲିୟନକୁ ଫେରିଛନ୍ତି। ଏବେ ବର୍ଷା ଟିକେ ବନ୍ଦ ଅଛି। ମ୍ୟାଚ ବର୍ତ୍ତମାନ ରାତି ୧୦.୧୨ରୁ ଆରମ୍ଭ ହେବ ଏବଂ ଏହା ୫-୫ ଓଭର ଖେଳାଯିବ।
ଏହି ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହେବ। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ ଜିତିଛନ୍ତି। ତେଣୁ ଶେଷ ମ୍ୟାଚ ଜିତିଥିବା ଦଳ ସିରିଜ ଜିତିବ। ଭାରତ ଏପର୍ଯ୍ୟନ୍ତ ନିଜ ଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୌଣସି ଟି-୨୦ ସିରିଜ ଜିତି ନାହିଁ ଏବଂ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଜିତିବାର ଟିମ ଇଣ୍ଡିଆ ନିକଟରେ ସୁଯୋଗ ରହିଛି।

Share