ରୋମାଞ୍ଚକର ହେବ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ମ୍ୟାଚ୍‌

ନୂଆଦିଲ୍ଲୀ, ୨୬।୦୬: ୨୯ ଜୁନ୍‌ ଅର୍ଥାତ ଶନିବାର ଟି-୨୦ ବିଶ଼୍ବକପ୍‌ର ଫାଇନାଲ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋରଦାର ଟକ୍କର ହେବାକୁ ଯାଉଛି । ଲମ଼୍ବା ସମୟ ଧରି ବିଶ଼୍ବକପ୍‌ ଟ୍ରଫି ହାତେଇବାକୁ ଟିମ୍‌ ଇଣ୍ଡିଆ ଅପେକ୍ଷା କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ବିଶ଼୍ବ ଚମ୍ପିୟନ୍‌ ହେବାକୁ ଆତୁର ହୋଇ ରହିଛି । ତେଣୁ ଆଶା କରାଯାଉଛି ଯେ ଏହି ଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକର ହେବ ।

ଏହି ଦୁଇ ଟିମ୍‌ରେ ଜଣଙ୍କ ଠୁ ବଳି ଜଣେ ଧୁରନ୍ଧର ଖେଳାଳି ରହିଛନ୍ତି । ମ୍ୟାଚ୍‌ କେତେବେଳେ କେଉଁ ଖେଳାଳିଙ୍କ ସପୋର୍ଟରେ ଯିବ ତାହା କହିବା ଅସମ୍ଭବ । ବାମହାତୀ ଦ୍ରୁତ ବୋଲରମାନେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଅସୁବିଧାରେ ପକାଉଛନ୍ତି। ଫର୍ମରେ ଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାର୍କୋ ଜନସନ ଏହାର ଫାଇଦା ଉଠାଇ ପାରନ୍ତି। ତେବେ ମ୍ୟାଚ୍‌ ରୋହିତଙ୍କ ସପକ୍ଷରେ ରହୁଛି । କାରଣ ଟି-୨୦ ମ୍ୟାଚର ୯ ଇନିଂସରେ ଜନସନଙ୍କୁ ସାମ୍ନା କରିଛନ୍ତି ରୋହିତ । ଜନସନ୍‌ ତାଙ୍କୁ କେବଳ ଥରେ ଆଉଟ କରିବାକୁ ସକ୍ଷମ ହୋଇଛନ୍ତି।

ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି। କିନ୍ତୁ ବିରାଟ କୋହଲିଙ୍କ ଫର୍ମ ଏବେ ଚିନ୍ତାର କାରଣ ହୋଇଛି। କୋହଲି ୭ଟି ମ୍ୟାଚରେ ମାତ୍ର ୭୫ ରନ ସ୍କୋର କରିବାକୁ ସକ୍ଷମ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୮ ଟି ମ୍ୟାଚରେ ୧୨ ଟି ୱିକେଟ ନେଇଛନ୍ତି ଏବଂ ତାଙ୍କର ଇକୋନୋମି ରେଟ୍‌ ୬ରୁ କମ ରହିଛି। କୋହଲିଙ୍କୁ ରାବାଡାଙ୍କ ବଲକୁ ସାମ୍ନା କରିବାବେଳେ ସତର୍କ ରହିବାକୁ ପଡିବ। ରାବାଡା କୋହଲିଙ୍କୁ ୧୨ ଇନିଂସରେ ୪ ଥର ଆଉଟ୍‌ କରି ପାଭିଲିୟନ୍‌ ଫେରାଇଛନ୍ତି ।

Share