Categories: ଖେଳ

୧୩ରୁ ଆରମ୍ଭ ହେବ ନାହିଁ ଭାରତ-ଶ୍ରୀଲଙ୍କା ସିରିଜ୍‌

କଲମ୍ବୋ,୯।୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ। ଆୟୋଜକ ଦଳର ଡାଟା ଆନାଲିଷ୍ଟ ଜି ଟି ନିରୋଶାନ ଓ ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବାର କରୋନା ସଂକ୍ରମିତ ହେବା ପରେ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ତେବେ କୌଣସି ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ କରାଯାଇ ନାହିଁ।

ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୧୩ ତାରିଖରେ ଖେଳାଯିବାର ଥିଲା। କିନ୍ତୁ ଶ୍ରୀଲଙ୍କା କ୍ୟାମ୍ପର ସଦସ୍ୟ କୋଭିଡ୍‌ ଆକ୍ରାନ୍ତ ହେବା ପରେ ଦିନିକିଆ ସିରିଜ୍‌ ଚଳିତ ମାସ ୧୭ କିମ୍ବା ୧୮ ତାରିଖରୁ ଆରମ୍ଭ ହୋଇପାରେ।

ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ। କେଉଁ ତାରିଖରେ ଏହି ସିରିଜ୍‌ ଆରମ୍ଭ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ। ଏସ୍‌ଏଲ୍‌ସି ଓ ବିସିସିଆଇ ମଧ୍ୟରେ ଶନିବାର ଆଲୋଚନା ପରେ ତାରିଖ ସ୍ପଷ୍ଟ ହେବ। କିନ୍ତୁ ୧୭ କିମ୍ବା ୧୮ ତାରିଖରୁ ଦିନିକିଆ ସିରିଜ୍‌ ଆରମ୍ଭ ହୋଇପାରେ। ଏହା ସର୍ତ୍ତକତାମୂଳକ ପଦକ୍ଷେପ ବୋଲି ସୂତ୍ରରୁ କୁହାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ନିରୋଶାନ ଓ ଫ୍ଲାଓ୍ବାର କରୋନାର ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି, ଯାହାକି ଅଧିକ ସଂକ୍ରାମକ।

Share