Advertisement

‘ଆମେ ଶ୍ରୀଲଙ୍କା ସହ ଅଛୁ’

କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ପଡୋଶୀ ଦେଶର ଏଭଳି ସଙ୍କଟବେଳେ ଭାରତ ସହଯୋଗର ହାତ ବଢାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଭାରତ ହେଉଛି ଶ୍ରୀଲଙ୍କାର ନିକଟତମ ପଡ଼ୋଶୀ। ଶ୍ରୀଲଙ୍କାବାସୀ ସମ୍ମୁଖୀନ ହେଉଥିବା ଅନେକ ଆହ୍ବାନ ବିଷୟରେ ଆମେ ଅବଗତ ଅଟୁ। ଏହି କଷ୍ଟଦାୟକ ସମୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଲୋକଙ୍କ ସହ ଛିଡା ହୋଇଛୁ। ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତିକୁ ଦୂର କରିବା ପାଇଁ ଭାରତ ଚଳିତ ବର୍ଷ ୩.୮ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ସହାୟତା ଯୋଗାଇ ଦେଇଛି। ଶ୍ରୀଲଙ୍କାରେ ସାମ୍ପ୍ରତିକ ବିକାଶ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଆର୍ଥିକ ସଂକଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ମାର୍ଚ୍ଚରୁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବି କରିଆସୁଥିଲେ ବିରୋଧୀ। ମାସ ମାସ ଧରି ଆନ୍ଦୋଳନ ପରେ ବି ସେ ଗାଦି ନ ଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ। ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଗତକାଲି ତାଙ୍କ ସରକାରୀ ବାସଭବନ ଛାଡ଼ି ପଳାଇଥିଲେ। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ପଶି ଏହାକୁ କବଜା କରିନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି। ଏହାରି ଭିତରେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପାକ୍ସେ। ଆସନ୍ତା ୧୩ ତାରିଖରେ ସେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share