ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି। ଏହି କ୍ରମରେ ଭାରତ ଜମ୍ମୁ-କାଶ୍ମୀର ସୀମାରେ କରାଯାଉଥିବା ବ୍ୟବସାୟ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କେନ୍ଦ୍ରସରକାର ଗୁରୁବାର ପାକିସ୍ତାନ ସହ ଜମ୍ମୁ-କଶ୍ମୀର ସୀମାରେ ହେଉଥିବା ସମସ୍ତ ବ୍ୟବସାୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୯ରୁ ସୀମାରେ ସମସ୍ତ ବ୍ୟବସାୟକୁ ସ୍ଥଗିତ ରଖାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସୀମା ଦେଇ ହେଉଥିବା ବ୍ୟବସାୟରେ କିଛି ଲୋକ ଅପବ୍ୟବହାର କରିବା ସହ ଅସ୍ତ୍ରଶସ୍ତ୍ର, ନିଶା ଦ୍ରବ୍ୟ ଓ ନକଲି ନୋଟର ବ୍ୟବସାୟ ହେଉଥିବା ନେଇ ଯାଞ୍ଚ ଏଜେନ୍ସିକୁ ସୂଚନା ମିଳିଥିଲା। ସପ୍ତାହକୁ ଚାରିଦିନ ପାଇଁ ଏହି ମାର୍ଗ ଦେଇ ଉଭୟ ପଟୁ ବାଣିଜ୍ୟ କାରବାର କରାଯାଇଥାଏ। ଏହି ସବୁ ଦ୍ରବ୍ୟ ମୁଖ୍ୟତଃ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସାମଗ୍ରୀର ଦେଣନେଣ ଓ ନିଃଶୁଳ୍କ ଭିତ୍ତିରେ କରାଯାଇଥାଏ। ତେବେ ସୀମା ସହ ଜଡିତ କିଛି ମାମଲାର ଏନଆଇଏ ତଦନ୍ତ କରୁଥିବା ବେଳେ ବାଣିଜ୍ୟ ବ୍ୟବସ୍ଥାକୁ  ନେଇ ବ୍ୟାପକ ଭାବେ ଅପବ୍ୟବହାର କରାଯାଉଛି ବୋଲି ତାକୁ ସୂଚନା ମିଳିଥିଲା। ବ୍ୟବସାୟ କରୁଥିବା ଲୋକଙ୍କ ମଧ୍ୟରେ  ଅଧିକ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ଲୋକ ସାମିଲ ଥିବା ଜଣାପଡିଛି। ସେମାନେ  ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା ସୂଚନା ମିଳିଛି। ଯାହାଫଳରେ ଜମ୍ମୁ-କଶ୍ମୀରରୁ ଇସଲମାବାଦ ଓ ଚକ୍କା-ଦା-ବାଦରେ ବ୍ୟବସାୟକୁ ସ୍ଥଗିତ ରଖିବାକୁ  ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଗୁଇନ୍ଦା ବିଭାଗ ସହ ଆଲୋଚନା କରିବା ପରେ ପୁଣି ଥରେ ଏଲଓସିକୁ ଖୋଲିବା ଉପରେ ବିଚାର କରାଯିବ ବୋଲି ଗୃହମନ୍ତ୍ରାଳୟ କହିଛି।

Share