ଅଣ-ବାସୁମତୀ ଚାଉଳ ରପ୍ତାନୀ ବନ୍ଦ କଲା ଭାରତ: ଆମେରିକା ସୁପର ମାର୍କେଟରେ ଲମ୍ବାଲାଇନ…

ଓ୍ବାଶିଂଟନ,୨୬।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତୀ ଚାଉଳ ବ୍ୟତୀତ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ପାର୍ବଣ ଋତୁରେ ଘରୋଇ ଚାହିଦା ବୃଦ୍ଧି ଏବଂ ଖୁଚୁରା ମୂଲ୍ୟ ଉପରେ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷେଧାଦେଶର ମୁଖ୍ୟ ପ୍ରଭାବ ଆମେରିକାର ବଜାରରେ ଦେଖାଯାଉଛି ଏବଂ ଦୋକାନ ବଜାରରେ ଚାଉଳ କିଣିବାକୁ ଲୋକଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଛି ।

ଗତ ସପ୍ତାହରେ ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଥିଲା ବାସୁମତୀ ଚାଉଳ ଏବଂ ସମସ୍ତ ପ୍ରକାର ଉସୁନା ଚାଉଳର ରପ୍ତାନି ନୀତିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ କେବଳ ଅଣ-ବାସୁମତୀ ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦିଓ ବାସୁମତୀ ଚାଉଳ ଭାରତରୁ ବହୁ ପରିମାଣରେ ରପ୍ତାନି ହୋଇଥାଏ। ଘରୋଇ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଅଣ-ବାସୁମତୀ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଆମେରିକାରେ ଚାଉଳ କିଣିବା ପାଇଁ ଗହଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଚାଉଳ ରପ୍ତାନି ଉପରେ ଭାରତର ନିଷେଧାଦେଶର ପ୍ରଭାବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା  ଭିଡିଓରୁ ଜାଣିହେଉଛି। ସ୍ଥାନୀୟ ଲୋକମାନେ ସେଠାରେ ଥିବା ଷ୍ଟୋରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଆମେରିକା ସୁପର ମାର୍କେଟରେ ଲମ୍ବାଲାଇନ ଦେଖିବାକୁ ମିଳୁଛି। ରିପୋର୍ଟରେ କୁହାଯାଇଛି ଛୁଟି ନେଇ ଲୋକମାନେ ଚାଉଳ କିଣିବାକୁ ଧାଡି ବାନ୍ଧୁଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଦୋକାନରୁ ୧୦-୧୦ପ୍ୟାକେଟ ଚାଉଳ କିଣୁଥିବାର ଦେଖାଯାଉଛି। ଆମେରିକାରେ ୯ କିଲୋଗ୍ରାମ ଚାଉଳର ଏକ ପ୍ୟାକେଟ ଦାମ ୨୭ ଡଲାର (୨୨୧୫ ଟଙ୍କା) ରେ ବିକ୍ରି ହେଉଛି।

Share