
ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍ସି ଏସିଆନ କପ୍ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍ ‘ ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ (ଇଓଏଲ୍) ଦାଖଲ କରିଥିବା ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଶୁକ୍ରବାର ପ୍ରକାଶ କରିଛି।
ବିଡ୍ ଦାଖଲ କରିବା ଲାଗି ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଥିଲା। ଯେଉଁ ୭ଟି ଫୁଟ୍ତ୍ବଲ ମହାସଂଘ ସେମାନଙ୍କର ଇଓଏଲ୍ ଦାଖଲ କରିଛନ୍ତି, ସେମାନଙ୍କ ମଧ୍ୟରେ ଏଆଇଏଫ୍ଏଫ୍ ଅନ୍ୟତମ। ଟୁର୍ନାମେଣ୍ଟ ଆୟୋଜନ ଅଧିକାର ହାସଲ କରିବା ଲାଗି ଭାରତକୁ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭଳି ପୁଟ୍ବଲ ପାଓ୍ବାର ହାଉସ୍ଙ୍କଠାରୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ।
ଇଣ୍ଡୋନେସିଆ ଓ କୁଏତ୍ ମଧ୍ୟ ସେମାନଙ୍କ ଇଓଏଲ୍ ଦାଖଲ କରିଥିବାବେଳେ କିରକିଜସ୍ତାନ, ତାଜିକ୍ସ୍ତାନ ଓ ଉଜ୍ବେକିସ୍ତାନ ମିଳିତ ଭାବେ ବିଡ୍ ଦାଖଲ କରିଛନ୍ତି। ଆୟୋଜକ ଦେଶର ନାମ ୨୦୨୬ରେ ଘୋଷଣା କରାଯିବ। ଏହି ଦେଶ ଆପେ ଯୋଗ୍ୟତା ଅର୍ଜନ କରିବ।ଟୁର୍ନାମେଣ୍ଟ ୧୯୫୬ରେ ଆରମ୍ଭ ହୋଇଥିବା ବେଳେ ୧୯୬୪ ସଂସ୍କରଣରେ ଭାରତ ରନରଅପ୍ ହୋଇଥିଲା। ୧୯୮୪, ୨୦୧୧, ୨୦୧୯ ଓ ୨୦୨୩ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା।