ବଂଶୀକୁ ଲକ୍ଷ୍ୟଭେଦ କଲା ଏମ୍‌ଆର୍‌ଏସ୍‌ଏଏମ୍‌

ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ବୁଧବାର ଅପରାହ୍ନ ୩ଟା ୫୫ମିନିଟ୍‌ରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ଭାରତ-ଇସ୍ରାଏଲ ମିଳିତ ସହଯୋଗରେ ଏମ୍‌ଆର୍‌ଏସଏଏମ୍‌(ମିଡ଼ିୟମ୍‌ ରେଞ୍ଜ ସର୍‌ଫେସ ଟୁ ଏୟାର ମିଶାଇଲ)କୁ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ପରୀକ୍ଷଣ କରାଯାଇଥିଲା। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମୟରେ ବଂଶୀକୁ ଲକ୍ଷ୍ୟଭେଦ କରିଥିଲା। ଏହା ସଫଳ ହୋଇଛି ବୋଲି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ କୁହାଯାଇଛି। ଏହି କ୍ଷେପଣାସ୍ତ୍ରର ରେଞ୍ଜ ୧୦୦ କିଲୋମିଟର ଥିବାବେଳେ ୪.୫ମିଟର ଲମ୍ବ, ଓଜନ ୨.୭ ଟନ୍‌ ଏବଂ ୬୦ କିଲୋ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ପରୀକ୍ଷଣ ବେଳେ ସେନାବାହିନୀ ଓ ଡିଆର୍‌ଡିଓର ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ପରୀକ୍ଷଣ କେନ୍ଦ୍ରର ଅଢ଼େଇକିଲୋମିଟର ବ୍ୟାସାର୍ଦ୍ଧ ପରିମିତ ସ୍ଥଳଭାଗରେ ଥିବା ତୁଣ୍ଡୁରା, ଜୟଦେବ କସବା ଓ ଖଡୁପାହି ଅଞ୍ଚଳର ପ୍ରାୟ ୭୮୭ ପରିବାରରୁ ୨୧୧୧ ଜଣ ବୟସ୍କ, ୮୧୨ ଜଣ ପିଲା ଏବଂ ୩ହଜାର ଶ୍ରମିକଙ୍କୁ ଅସ୍ଥାୟୀ ଶିବିରରେ ରହିବାର ବ୍ୟବସ୍ଥା କରାଯାଇଥିଲା। ସାମୟିକ ଭାବେ ଉଚ୍ଛେଦ ଲାଗି କ୍ଷତିପୂରଣ ବ୍ୟବସ୍ଥା କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ସକାଳଠାରୁ ଏମାନଙ୍କୁ ଅସ୍ଥାୟୀ ଶିବିରରେ ରହିବାର ବ୍ୟବସ୍ଥା କରାଯାଇଥିଲା। ସେଥିପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଥିଲା। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇଥିବା ଏହି ଅତ୍ୟାଧୁନିକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷା ପାଇଁ ଡିଆର୍‌ଡିଓ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

 

Share