Categories: ଖେଳ

ପ୍ରତିଶୋଧ ନେବ ଭାରତ: ୬ ମାସ ଭିତରେ ଦ୍ୱିତୀୟଥର ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ଖେଳାଯିବ ଫାଇନାଲ୍‌

ନୂଆଦିଲ୍ଲୀ,୮।୨: ଅଣ୍ଡର-୧୯ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୧ ଉଇକେଟରେ ପରାସ୍ତ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରଖି ଖେଳିଥିଲା ଏବଂ ଏହି ବିଜୟ ସହିତ ସେମାନେ ଭାରତ ବିପକ୍ଷ ଫାଇନାଲ ଖେଳିବାକୁ ସ୍ଥାନ ସୁରକ୍ଷିତ କରିଥିଲେ। ଫେବୃଆରୀ ୧୧ରେ ବେନୋନିର ୱିଲିମୁର ପାର୍କରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମ୍ୟାଚ ଖେଳାଯିବ।
୬ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶେଷ ଥର ପାଇଁ ପୁରୁଷ ବିଶ୍ୱକପ ୨୦୨୩ରେ ଦୁଇ ଦଳ ମଧ୍ୟରେ ଏକ ଫାଇନାଲ୍‌ ମ୍ୟାଚ ହୋଇଥିଲା। ଏଥିରେ କଙ୍ଗାରୁ ଦଳ ଜିତିଥିଲା। ଏଥର ଟିମ ଇଣ୍ଡିଆ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ସେହି ପରାଜୟର ବଦ୍‌ଲା ନେବାକୁ ଚାହୁଁଛି।
୧୧ ଫେବୃଆରୀରେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଅଛନ୍ତି। ଏହି ବିଶ୍ୱକପ୍ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହରାଇ ନାହାଁନ୍ତି। ଏଭଳି ପରିସ୍ଥିତିରେ ଟିମ ଇଣ୍ଡିଆ ଫାଇନାଲରେ କଙ୍ଗାରୁକୁ ପରାସ୍ତ କରି ବିଶ୍ୱକପ ୨୦୨୩ର ପରାଜୟର ପ୍ରତିଶୋଧ ନେବାକୁ ଚାହୁଁଛି। ଭାରତରୁ ଅଧିନାୟକ ଉଦୟ ସାହାରନ, ମୁଶୀର ଖାନ, ସଚିନ ଧାସ, ସୋମି ପାଣ୍ଡେଙ୍କ ଭଳି ଖେଳାଳିମାନେ ଭଲ ଫର୍ମରେ ଅଛନ୍ତି। ଏହି ଖେଳାଳିଙ୍କୁ ଫାଇନାଲରେ ଭାରତ ଜିତିବା ଦାୟିତ୍ୱ ରହିବ।

Share