Advertisement

ହଠାତ୍‌ ଟିମ୍‌ ଇଣ୍ଡିଆ ଡ୍ରେସିଂ ରୁମ୍‌ରେ ଗାଳି ଦେବାକୁ ଲାଗିଲେ ଗମ୍ଭୀର, ସେମିଫାଇନାଲରେ କ’ଣ ଏମିତି ହେଲା?

ଦୁବାଇ,୪।୩: ଦୁବାଇର ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଜାରି ରହିଛି। ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିବାକୁ ଚାହୁଁଥିବାରୁ ମ୍ୟାଚ୍‌ର ଗୁରୁତ୍ୱ ରହିଛି। ଏମିତିରେ ଅଷ୍ଟ୍ରେଲିଆର ଉଇକେଟ ଯିବା ସମୟରେ କେବଳ ଭାରତୀୟ ଖେଳାଳି ଏବଂ ପ୍ରଶଂସକମାନେ ଉତ୍ସାହିତ ହେଉ ନ ଥିଲେ, ବରଂ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଖୁସିବ୍ୟକ୍ତ କରୁଥିଲେ। ହେଲେ କିନ୍ତୁ ଷ୍ଟିଭ ସ୍ମିଥ୍‌ଙ୍କ ଉଇକେଟ ପଡ଼ିବା ପରେ ଗୌତମ ଗମ୍ଭୀର ନିଜର ନିୟନ୍ତ୍ରଣ ହରାଇ ରାଗରେ ଗାଳି ଦେଉଥିବା ନଜର ଆସିଛି।

ଯେତେବେଳେ ଟିମ୍‌ ଇଣ୍ଡିଆ ଟ୍ରାଭିସ ହେଡ୍‌ଙ୍କ ଉଇକେଟ ନେଇଥିଲା, ଗୌତମ ଗମ୍ଭୀର ମଧ୍ୟ ବହୁତ ଖୁସି ହୋଇଯାଇଥିଲେ। ସେ ଦୁଇ ହାତ ଉଠାଇ ତାଳି ମାରିଥିଲେ। ସେହିଭଳି ସ୍ମିଥ ଆଉଟ ହେବା ପରେ ଗମ୍ଭୀର ମଧ୍ୟ ବହୁତ ଉତ୍ସାହିତ ହୋଇ ସିଟ୍‌ରେ ବସି ରାଗରେ ଗାଳି ଦେଇଦେଲେ। ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାରତ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଷ୍ଟିଭ ସ୍ମିଥ୍‌ ଏକ ଚମତ୍କାର ଅଧିନାୟକ ଇନିଂସ ଖେଳିବାରେ ସଫଳ ହୋଇଥିଲେ। ସେ ତାଙ୍କ ଦଳ ପାଇଁ ସର୍ବାଧିକ ରନ ସ୍କୋରର ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ୯୬ ବଲ ଖେଳି ୭୩ ରନ କରିଥିଲେ। ଏହି ଅର୍ଦ୍ଧଶତକରେ ତାଙ୍କ ବ୍ୟାଟରୁ ଚାରୋଟି ଚୌକା ଏବଂ ଗୋଟିଏ ଛକା ଆସିଥିଲା। ସ୍ମିଥଙ୍କ ଉଇକେଟ ମହମ୍ମଦ ଶାମି ଏକ ଫୁଲ-ଟସ ବଲ୍‌ରେ ନେଇଥିଲେ। ଶାମି ଅଷ୍ଟ୍ରେଲୀୟ ଅଧିନାୟକଙ୍କୁ ଆଉଟ କରି ପାଭିଲିୟନ ପଠାଇ ଦେଇଥିଲେ।

ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ୫୦ ଓଭର ମଧ୍ୟ ଖେଳିପାରି ନ ଥିଲା। ଭାରତୀୟ ବୋଲରଙ୍କ ସାମ୍ନାରେ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ ହୋଇଯାଇଥିଲା। ଷ୍ଟିଭଙ୍କ ୭୩ ରନ ବ୍ୟତୀତ ଆଲେକ୍ସ କେରି ୫୭ ବଲରେ ୬୧ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଟ୍ରାଭିସ ହେଡ ୩୩ ବଲ୍‌ରେ ୩୯ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୩ ଉଇକେଟ ନେଇଥିଲେ। ସେହିଭଳି ବରୁଣ ଚକ୍ରବର୍ତ୍ତୀ ଏବଂ ରବିନ୍ଦ୍ର ଜାଡେଜା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

Share
Tags: Sports News