Categories: ବାଣିଜ୍ୟ

‘ଭାରତ ଡ୍ରୋନ୍‌ ଟେକ୍ନୋଲୋଜିର କେନ୍ଦ୍ର ହେବ’

ନୂଆଦିଲ୍ଲୀ,୭।୧୨: ଭାରତ ଡ୍ରୋନ୍‌ ଟେକ୍ନୋଲୋଜିର ଏକ ବୃହତ୍‌ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତକୁ ଅତି କମ୍‌ରେ ୧ ଲକ୍ଷ ଡ୍ରୋନ୍‌ ପାଇଲଟ୍‌ଙ୍କର ଆବଶ୍ୟକତା ପଡ଼ିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଙ୍ଗଳବାର ଚେନ୍ନାଇଠାରେ ‘ଡ୍ରୋନ୍‌ ଯାତ୍ରା ୨.୦’ କୁ ଉଦ୍‌ଘାଟନ କରି ଏହା କହିଛନ୍ତି। ସେହିଭଳି ଉଦ୍‌ଘାଟନୀ ସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ , ଟେକ୍ନୋଲୋଜି ପ୍ରକୃତରେ ଦ୍ରୁତଗତିରେ ବିଶ୍ୱକୁ ପରିବର୍ତ୍ତନ କରିବାରେ ଲାଗିଛି ଏବଂ ଏହା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ପ୍ରାସଙ୍ଗିକ ମଧ୍ୟ ହୋଇପଡିଛି। କାରଣ ଏହାର ପ୍ରୟୋଗ ପୃଥିବୀର ଅନେକ ଜଟିଳ ସମସ୍ୟାର ସମାଧାନ କରୁଛି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସେହିପରି ସେ କହିଥିଲେ, ଏକ ବିଲିୟନରୁ ଅଧିକ ଲୋକ ବସବାସ କରୁଥିବା ଦେଶ ଭାବେ ଭାରତ ଆଗରେ ରହିବା ପାଇଁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ତା’ର ଲାଭ ଉଠାଉଛି। ଏପରିକି ଭାରତରେ ଡ୍ରୋନ୍‌ ଟେକ୍ନୋଲୋଜି କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଷୟରେ ମଧ୍ୟ ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ବିଶେଷକରି ବିଟିଂ ରିଟ୍ରିଟ୍‌ ସମୟରେ ଆଇଆଇଟିର ପୂର୍ବତନ ଛାତ୍ରମାନଙ୍କ ନେତୃତ୍ୱରେ ଭାରତୀୟ ଷ୍ଟାର୍ଟ-ଅପ୍‌ ‘ବ୍ଲୋଟ୍ୟାବ୍‌ ଡାଇନାମିକ୍ସ’ ଦ୍ୱାରା ଭାରତରେ ପ୍ରସ୍ତୁତ ୧୦୦୦ ଡ୍ରୋନ୍‌ର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମଗ୍ର ଦେଶ ଆଶ୍ଚର୍ଯ୍ୟଚକିତ ହୋଇଥିଲା। ସ୍ବାମିତ୍ୱ ଯୋଜନାର ଏକ ଅଂଶ ଭାବରେ ଗ୍ରାମଗୁଡିକରେ ଡ୍ରୋନ୍‌ ମାଧ୍ୟମରେ ଜମି ଏବଂ ଘର ଉପରେ ସର୍ଭେ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି। ଗ୍ରାମାଞ୍ଚଳର ଜମିରେ କୀଟନାଶକ ଏବଂ ନାନୋ ସାର ସିଞ୍ଚନ ପାଇଁ ଡ୍ରୋନ୍‌କୁ ବହୁଳ ଭାବେ ବ୍ୟବହାର କରାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିବା କିଷାନ ଡ୍ରୋନ୍‌ ଯାତ୍ରାର ଏକ ଅଂଶ ଭାବେ କୀଟନାଶକ ସିଞ୍ଚନ କରିବା ପାଇଁ ୧୦୦ଟି କିଷାନ ଡ୍ରୋନ୍‌ ଦେଶର ବିଭିନ୍ନ ଗ୍ରାମକୁ ପଠାଯାଇଥିଲା ବୋଲି ସେ କହିଛନ୍ତି।

Share