‘ଭାରତ ହେବ ନିର୍ମାଣ ହବ୍‌’

ସମରକନ୍ଦ,୧୭।୯: କୋଭିଡ୍‌-୧୯ ମହାମାରୀ ଓ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବୈଶ୍ୱିକ ଯୋଗାଣଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତକୁ ଏକ ମାନୁଫାକ୍ଚରିଂ ହବ୍‌ରେ ପରିଣତ କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗଦେଇ କହିଛନ୍ତି।
ଏସ୍‌ସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକର କାଉନ୍‌ସିଲ ଅଫ୍‌ ହେଡ୍ସ (ଏସ୍‌ସିଓ-ସିଓଏଚ୍‌ଏସ୍‌)ର ପରିବର୍ଦ୍ଧିତ ଫର୍ମାଟ୍‌କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆମର ଜନକୈନ୍ଦ୍ରିକ ନମୁନାରେ କାରିଗରିର ଉପଯୁକ୍ତ ବ୍ୟବହାର ଉପରେ ଅନେକ ଗୁରୁତ୍ୱ ଦିଆଯାଉଛି। ଭାରତକୁ ଏକ ନିର୍ମାଣର ହବ୍‌ରେ ପରିଣତ କରିବା ଦିଗରେ ଆମେ ଆଗେଇ ଚାଲିଛୁ। ଦେଶରେ ୭୦,୦୦୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ଓ ଶତାଧିକ ୟୁନିକର୍ନ ରହିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନବଉନ୍ମେଷକୁ ସମର୍ଥନ କରାଯାଉଛି। ଏହା ଭାରତର ଆର୍ଥିକ ସ୍ଥିରତାକୁ ଦର୍ଶାଉଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତିରେ ୭.୫% ଅଭିବୃଦ୍ଧି ଘଟିବା ଆଶା କରାଯାଉଛି, ଯାହାକି ବିଶ୍ୱର ବୃହତ୍‌ ଅର୍ଥନୀତିଗୁଡ଼ିକଠାରୁ ସର୍ବାଧିକ। ଯୋଗାଣଶୃଙ୍ଖଳରେ ପ୍ରତିକୂଳ ସ୍ଥିତିର ମୁକାବିଲା ଦକ୍ଷତା ବୃଦ୍ଧି, ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଏବଂ ପାରସ୍ପରିକ ଟ୍ରାଞ୍ଜିଟ୍‌ ଅଧିକାର ଗୁରୁତ୍ୱପୂର୍ଣ୍ଣ ହେବ। ଏସ୍‌ସିଓ ଆମ ଅଞ୍ଚଳରେ ଏକ ରେଜିଲିଆଣ୍ଟ ସପ୍ଲାଏ ଚେନ୍‌ ପ୍ରତିଷ୍ଠା ଲାଗି ଉଦ୍ୟମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି। ଆଫଗାନିସ୍ତାନକୁ ପାକିସ୍ତାନ ଦେଇ ପଠାଯାଇଥିବା ସାମଗ୍ରୀ ପହଞ୍ଚତ୍ବାରେ ଅନେକ ମାସ ଲାଗିଯାଇଥିଲା। ଏଭଳି ବିଳମ୍ବକୁ ଏଡ଼ାଇବା ଲାଗି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଖାଦ୍ୟ ଯୋଗାଣର ଏକ ‘ଟ୍ରାଞ୍ଜିଟ୍‌ ରାଇଟ୍ସ’ କରାଯିବା ପ୍ରସଙ୍ଗ ମୋଦି ଉଠାଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜ୍‌ବେକିସ୍ତାନ ରାଷ୍ଟ୍ରପତି ଶାଭ୍‌କତ୍‌ ମିର୍ଜିୟୋୟେଭ୍‌ ୨୨ତମ ଏସ୍‌ସିଓ ସମିଟ୍‌ର କଂଗ୍ରେସ ସେଣ୍ଟରକୁ ସ୍ବାଗତ କରିଥିଲେ। ଉଜ୍‌ବେକିସ୍ତାନର ଅଧ୍ୟକ୍ଷତାରେ ସଫଳତା ପାଇଁ ଭାରତ ସମ୍ପୂର୍ଣ୍ଣ ସହଯୋଗ କରୁଛି।

Share