Categories: ଜାତୀୟ

ଆତ୍ମନିର୍ଭର ହେବ ଭାରତ: ୧୦୧ ପ୍ରତିରକ୍ଷା ଉପକରଣ ଦେଶରେ ହେବ ତିଆରି

ନୂଆଦିଲ୍ଲୀ, ୯।୮: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବିଦେଶରୁ ଆମଦାନୀ ହେଉଥିବା ୧୦୧ ପ୍ରତିରକ୍ଷା ଉପକରଣ ଉପରେ ରୋକ ଲଗାଯାଇଛି। ଏଣିକି ଏସବୁ ଉପକରଣ ସ୍ବଦେଶୀ ଜ୍ଞାନକୌଶଳରେ ଦେଶରେ ନିର୍ମିତ ହେବ। ଏସମ୍ପର୍କରେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି। ଏସବୁ ଉପକରଣ ମଧ୍ୟରେ ଆସଲ୍ଟ ରାଇଫଲ୍‌, ସୋନାର ସିଷ୍ଟମ୍‌, ପରିବହନକାରୀ ବିମାନ, ଏଲ୍‌ସିଏଚ୍‌ ରାଡ଼ାର ଏବଂ ଅନ୍ୟ ସରଞ୍ଜାମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ରାଜନାଥ କହିଛନ୍ତି। ୨୦୧୫ ଏପ୍ରିଲ୍‌ରୁ ୨୦୨୦ ଅଗଷ୍ଟ ମଧ୍ୟରେ ୨୬୦ଟି ପ୍ରକଳ୍ପ ଅନ୍ତର୍ଗତ ତିନି ସେନାଙ୍କୁ ସାଢ଼େ ୩ ଲକ୍ଷ କୋଟି ଟଙ୍କାର ସରଞ୍ଜାମ ଯୋଗାଇ ଦେବା ପାଇଁ ପ୍ରତିରକ୍ଷା ଉଦ୍ୟୋଗ ଚୁକ୍ତିବଦ୍ଧ ହୋଇଛି। ସେଥିମଧ୍ୟରେ ସ୍ଥଳ ଏବଂ ବାୟୁସେନା ଲାଗି ଲକ୍ଷେ ୩୦ ହଜାର କୋଟି ଏବଂ ନୌସେନା ପାଇଁ ଲକ୍ଷେ ୪୦ ହଜାର କୋଟି ଟଙ୍କାର ଉପକରଣ ରହିଛି। ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ରୋକ ଲାଗିବାର ସମ୍ଭାବନା ରହିଛି। ଏହି ଯୋଜନା ଅନ୍ତର୍ଗତ ଆଗାମୀ ଦିନରେ ଘରୋଇ କମ୍ପାନୀଗୁଡ଼ିକୁ ପ୍ରତିରକ୍ଷା ଉପକରଣ ନିର୍ମାଣ ପାଇଁ ୪ ଲକ୍ଷ କୋଟିର ଠିକା ମିଳିବ ବୋଲି କୁହାଯାଉଛି।

Share