Categories: ଜାତୀୟ

ତୃତୀୟ ପାଳିରେ ୩ୟ ବୃହତ୍‌ ଅର୍ଥନୀତି ହେବ ଭାରତ: ପ୍ରଧାନମନ୍ତ୍ରୀ

ସୁରଟ,୧୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ଅମଳରେ ଭାରତ ୩ୟ ବୃହତ୍‌ ଅର୍ଥନୀତି ପାଲଟିବ ବୋଲି ରବିବାର ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗୁଜରାଟର ସୁରଟ ଡାଇମଣ୍ଡ ବୋର୍ସ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଏହାକୁ ନୂଆ ଭାରତର ଶକ୍ତି ଓ ଦୃଢ଼ତାର ପ୍ରତୀକ ଭାବେ ଅଭିହିତ କରିଛନ୍ତି।
ସୁରଟ ଡାଇମଣ୍ଡ ବୋର୍ସ (ଏସ୍‌ଡିବି) ବିଲ୍ଡିଂ ହେଉଛି ବିଶ୍ୱର ସର୍ବବୃହତ୍‌ ଅଫିସ କମ୍ପ୍ଲେକ୍ସ। ସୁରଟ ସହର ନିକଟ ଖଜେଡ୍‌ ଗ୍ରାମରେ ଅବସ୍ଥିତ ଏହି କମ୍ପ୍ଲେକ୍ସ ୬୭ ଲକ୍ଷ ବର୍ଗଫୁଟ୍‌ ଅଞ୍ଚଳରେ ବିସ୍ତୃତ। ପ୍ରଧାନମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବା ପରେ ସମ୍ବୋଧିତ କରି କହିଛନ୍ତି, ସୁରଟର ଭବ୍ୟତାରେ ଆଉ ଏକ ହୀରା ଯୋଡ଼ିହୋଇଗଲା। ଯେତେବେଳେ ବି କେହି ବିଶ୍ୱର ଡାଇମଣ୍ଡ ବୋର୍ସ ସମ୍ପର୍କରେ କହିବେ ସେ ନିଶ୍ଚିତ ରୂପେ ସୁରଟ ଓ ଭାରତ କଥା ମନେପକାଇବେ। ସୁରଟର ହୀରା ଶିଳ୍ପ ୮ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି। ନୂଆ ବୋର୍ସ ଉଦ୍‌ଘାଟନ ପରେ ଏବେ ଆହୁରି ୧.୫ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏସ୍‌ଡିବି ଭାରତୀୟ ଅଳଙ୍କରଣ, ଡିଜାଇନର୍ସ ଓ କନ୍‌ସେପ୍ଟର ସାମର୍ଥ୍ୟକୁ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଆପଣମାନେ ଜାଣନ୍ତି ଯେ ଭାରତ ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱର ୧୦ମ ଅର୍ଥନୀତିରୁ ପଞ୍ଚମ ବୃହତ୍‌ ଆର୍ଥିକ ଶକ୍ତିରେ ପରିଣତ ହୋଇଛି। ମୋର ତୃତୀୟ ପାଳି ସରକାରରେ ଭାରତ ଶୀର୍ଷ ୩ ଅର୍ଥନୀତି ମଧ୍ୟରେ ସ୍ଥାନିତ ହେବ। ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ସେହିପରି ସରକାର ଆଗାମୀ ୨୫ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଭାରତକୁ ୫-୧୦ ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରି ରପ୍ତାନୀ କ୍ଷେତ୍ରକୁ ନୂଆ ସଫଳତାରେ ପହଞ୍ଚାଇବା ଦିଗରେ ଆମେ କାର୍ଯ୍ୟ କରୁଛୁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

Share