ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୯(ସୁନିତ୍‌ ମିଶ୍ର): ଭାରତ ବୈଶ୍ୱିକ ମଡେଲ୍‌ ହେବାକୁ ଯାଉଛି। ଏସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯୋଗୁ ହୋଇପାରୁଛି। ଯେତେବେଳେ ଭାରତ ଚନ୍ଦ୍ରାୟନର ଉପଲବ୍ଧି କରୁଛି, ସୂର୍ଯ୍ୟ ଅଭିଯାନ କରୁଛି ଭାରତ ସେତେବେଳେ ବୈଶ୍ୱିକ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି। ଏହା ୧୪୦ କୋଟି ଭାରତୀୟଙ୍କ ପାଇଁ ଗୌରବର କ୍ଷଣ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ୱ ଯୋଗୁ ୨ ଦିନିଆ ଜି-୨୦ ବୈଠକ ସଫଳ ହୋଇଛି॥ ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବେ ସମସ୍ତଙ୍କୁ ସାଙ୍ଗରେ ନେଇ ଗୋଟିଏ ପ୍ରସ୍ତାବ ତିଆରି କରିପାରିଛି, ଯାହା ବୈଶ୍ୱିକ ସ୍ତରରେ କମ୍‌ ଦେଖିବାକୁ ମିଳେ। ପ୍ରଧାନମନ୍ତ୍ରୀ ଓଡ଼ିଆ ସମାଜର ଗର୍ବ ବଢାଇଛନ୍ତି। ଜି-୨୦ ବୈଠକର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମରେ ଯେବେ ଅତିଥିଙ୍କୁ ସ୍ବାଗତ କଲେ ସେ ଜାଗାରେ ଓଡିଶାର କଳା ଓ ସଂସ୍କୃତିର ପରିଚୟ କୋଣାର୍କ ଚକ୍ର ରଖାଯାଇଥିଲା। ଏହାଠାରୁ ବଡ ଗୌରବର କଥା ଓଡିଶା ପାଇଁ କିଛି ନ ହୋଇପାରେ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ସଫଳତାର ସହ ଜି-୨୦ ଅଧିବେଶନ ସମାପ୍ତ ହୋଇଛି। ବିଶ୍ୱର ପ୍ରମୁଖ ଦେଶର ନେତୃତ୍ୱ ଏକାଠି ଭାରତକୁ ଆସିଥିଲେ। ଏ ପ୍ରକାର ଆୟୋଜନ ପୂର୍ବରୁ ଭାରତରେ କେବେ ହୋଇ ନ ଥିଲା ବୋଲି ବହୁ ବିଶେଷଜ୍ଞ ମତ ଦେଇଛନ୍ତି। ଭାରତରେ ବୈଷୟିକ ମଞ୍ଚ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏପ୍ରକାର ମଞ୍ଚ କେବେ ଆୟୋଜନ ହୋଇ ନ ଥିଲା। ଏସବୁ କେବଳ ପ୍ରଧାନମନ୍ତ୍ରୀଙ୍କ ଦୁରଦୃଷ୍ଟି ଓ ଦକ୍ଷତା ଯୋଗୁ ସମ୍ଭବ ହୋଇପାରିଛି। ବିଶ୍ୱରେ ଅନେକ ସମସ୍ୟା ଅଛି, ଅନେକ ମତ ପାର୍ଥକ୍ୟ ଅଛି। ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବେ ସମସ୍ତଙ୍କୁ ସାଙ୍ଗରେ ନେଇ ବିନା ବିବାଦରେ ଗୋଟିଏ ଘୋଷଣାପତ୍ର ତିଆରି କରିପାରିଲା, ଏହା ଆମ ପାଇଁ ସବୁଠୁ ବଡ଼ ଉପଲବ୍ଧି। ସ୍ବୟଂ ଦିକ୍ଷା ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ କେବଳ ଭାରତ ଭିତରେ ସୀମିତ ହୋଇ ରହିବ ନାହିଁ, ବୈଷୟିକ ସ୍ତରକୁ ଯିବ। ଭାରତ ବୈଷୟିକ ମଡେଲ୍‌ ହେବାକୁ ଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share