Categories: ଖେଳ

‘ଆର୍ଦ୍ର ପରିବେଶରୁ ଭାରତକୁ ଫାଇଦା ମିଳିବ’

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତର ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ଭାନୁଆଟୁ ହୋଇଥିବାରୁ ଭୁବନେଶ୍ୱରର ଆର୍ଦ୍ର ପରିବେଶରୁ ଘରୋଇ ଦଳକୁ ଫାଇଦା ମିଳିବ ବୋଲି ଅନୁଭବ କରୁଛନ୍ତି ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ୍‌। ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଥିବାରୁ ଆଗାମୀ ମ୍ୟାଚ୍‌ରେ ସେ ଦଳଠାରୁ ଅଧିକ ଗୋଲ ଆଶା କରୁଛନ୍ତି। ”ପ୍ରଥମ ମ୍ୟାଚ୍‌ରେ ଆମ ଖେଳାଳିଙ୍କ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟରେ ମୁଁ ପ୍ରଭାବିତ ହୋଇଛି। ଆମେ ଟ୍ରେନିଂ ସେସନରେ ଏପରି ଅଭ୍ୟାସ କରିଥିଲୁ। ଭୁବନେଶ୍ୱରର ପରିବେଶ ଏବେ ଉଷ୍ମ ଏବଂ ଆର୍ଦ୍ର। ତେଣୁ ଭ୍ରମଣକାରୀ ଦଳକୁ ଏହା ସହିତ ଖାପ ଖୁଆଇବା ସହଜ ହେବନି। ଖେଳବେଳେ ପଡ଼ିଆରେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବ। ଆମେ ଏଠାରେ ଗତ ୩ ସପ୍ତାହରୁ ଊର୍ଦ୍ଧ୍ୱ ଟ୍ରେନିଂ ଜାରି ରଖିଛୁ। ତେଣୁ ଏଥିରୁ ନିଶ୍ଚିତ ଫାଇଦା ମିଳିବ। ଭାନୁଆଟୁ-ଲେବାନନ୍‌ ମ୍ୟାଚ୍‌ରେ ଆମେ ଏପରି କିଛି ଦେଖିବାକୁ ପାଇଥିଲୁ। ପ୍ରଥମାର୍ଦ୍ଧରେ କେତେକ ଖେଳାଳି ଆହତ ହୋଇଯାଇଥିଲେ। ତେଣୁ ପରିବେଶ ସହିତ ଖାପ ଖୁଆଇବା କଷ୍ଟକର ହେଉଥିବା ସ୍ପଷ୍ଟ“ ବୋଲି ଷ୍ଟିମାକ୍‌ ପ୍ରକାଶ କରିଛନ୍ତି। ଲେବାନନ୍‌ ବିପକ୍ଷ ମ୍ୟାଚ୍‌ରେ ଆମେ ଭାନୁଆଟୁର ପ୍ରଦର୍ଶନକୁ ଦେଖିଛୁ। ଶାରୀରିକଭାବେ ଏହି ଦଳ ବେଶ୍‌ ଦକ୍ଷ। ତେବେ ଏହାର ଶକ୍ତିଶାଳୀ ଦିଗ ଏବଂ ଦୁର୍ବଳତା ରହିଛି। ଏହାକୁ ଲକ୍ଷ୍ୟରେ ରଖି ଆମେ ଆଗାମୀ ମ୍ୟାଚ୍‌ ଖେଳିବୁ ବୋଲି ଷ୍ଟିମାକ୍‌ କହିଛନ୍ତି।

ଏସିଆରେ ଖେଳିବା ଚ୍ୟାଲେଞ୍ଜପୂର୍ଣ୍ଣ

ନିଜର ପ୍ରଥମ ମ୍ୟାଚ୍‌ରେ ଲେବାନନ୍‌ଠାରୁ ହାରିଥିଲେ ହେଁ ଦଳର ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଅଛନ୍ତି ଭାନୁଆଟୁ କୋଚ୍‌ ଇଟିନେ ମେର୍ମେର। ”ଲେବାନନ୍‌ ବିପକ୍ଷ ମ୍ୟାଚ୍‌ କଷ୍ଟସାଧ୍ୟ ହେବବୋଲି ଆମେ ଜାଣିଥିଲୁ। ମାତ୍ର ଏହା ଏକ ଭଲ ମ୍ୟାଚ୍‌ ଥିଲା। ଆମ ଦଳର ଖେଳାଳିମାନେ ଏହି ଗେମ୍‌ରୁ ଅନେକ ଅଭିଜ୍ଞତା ଆହରଣ କଲେ। ଆମେ ପୂର୍ବରୁ କେବେହେଲେ ଭାରତ, ଲେବାନନ୍‌ କିମ୍ବା ମଙ୍ଗୋଲିଆ ପରି ଦଳ ବିପକ୍ଷରେ ଖେଳିନାହୁଁ। ଏସିଆରେ ଖେଳିବା ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ଏଠାକାର ଷ୍ଟାଡିୟମ ବହୁତ ଭଲ। ଏଭଳି ପରିବେଶରେ ଖେଳିବା ଦ୍ୱାରା ଖେଳାଳିମାନଙ୍କୁ ନୂଆ ଅଭିଜ୍ଞତା ମିଳିଲା। ଭାନୁଆଟୁରେ ଏପରି ସୁବିଧା ସୁଯୋଗ ନାହିଁ। ଆମେ ଏଠାରେ ଖେଳକୁ ଉପଭୋଗ କରୁଛୁ ଏବଂ ଭାରତ ବିପକ୍ଷ ମ୍ୟାଚ୍‌କୁ ଆଗ୍ରହର ସହ ଅପେକ୍ଷା କରିଛୁ“ ବୋଲି ମେର୍ମେର ପ୍ରକାଶ କରିଛନ୍ତି। ଆମ ଦଳରେ କେବଳ ୩ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଲୋକାଲ ଖେଳାଳି। ୨ ଜଣ ଫରଓ୍ବାର୍ଡ ଆଜାରିଆ ସୋରୋମନ ଓ ଆଲେକ୍ସ ସାନେଲ ଫିଜିରେ ସୁଭା ଏଫ୍‌ସି ପକ୍ଷରୁ ଏବଂ ଅଧିନାୟକ ବ୍ରାଏନ କାଲ୍‌ଟାକ୍‌ ସେଣ୍ଟ୍ରାଲ କୋଷ୍ଟ ମାରିନର୍ସ ପକ୍ଷରୁ ଏ-ଲିଗ୍‌ରେ ଖେଳୁଛନ୍ତି। ସମସ୍ତ ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମେର୍ମେର କହିଛନ୍ତି।

Share