ମଜାର-ଏ-ଶରିଫରୁ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିବେ ଭାରତୀୟ ନାଗରିକ

କାବୁଲ,୧୦।୮:ଆଫଗାନିସ୍ତାନରେ ଉପୁଜିଥିବା ହିଂସା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତ ସରକାର ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନର ମଜାର-ଏ-ଶରିଫ ସହର ସ୍ଥିତ ବାଣିଜ୍ୟ ଦୂତାବାସରେ କାର୍ଯ୍ୟରତ ଥିବା ସମସ୍ତ ଭାରତୀୟ କର୍ମଚାରୀ, ଅଧିକାରୀ ଓ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଭାରତୀୟ ନାଗରିକଙ୍କୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ସେଠାରୁ ଫେରାଇ ଅଣାଯିବ ବୋଲି ମଜାର-ଏ-ଶରିଫରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମଙ୍ଗଳବାର ଟୁଇଟ କରି ସୂଚନା ଦିଆଯାଇଛି। ଏଥିପାଇଁ ମଙ୍ଗଳାବର ସନ୍ଧ୍ୟାରେ ମଜାର-ଏ-ଶରିଫରୁ ଏକ ସ୍ବତନ୍ତ୍ର ବିମାନ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଆଖପାଖରେ ଥିବା ସମସ୍ତ ଭାରତୀୟମାନେ ସନ୍ଧ୍ୟା ବିମାନରେ ନୂଆଦିଲ୍ଲୀକୁ ଫେରିଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଏଥିସହ କୁହାଯାଇଛି ଯେ, ଯେଉଁ ଭାରତୀୟଙ୍କୁ ନୂଆଦିଲ୍ଲୀ ଯିବାର ଅଛି ସେମାନେ ତୁରନ୍ତ ନିଜ ନାମ, ପାସପୋର୍ଟ ନମ୍ବର ଓ ଅନ୍ୟ ତଥ୍ୟ ହ୍ବାଟ୍ସଆପ ଜରିଆରେ ପଠାନ୍ତୁ। ଏଥିପାଇଁ ଦୁଇଟି ନମ୍ବର ମଧ୍ୟ ଦିଆଯାଇଛି ୦୭୮୫୮୯୧୩୦୩, ୦୭୮୫୮୯୧୩୦୧। ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନର ବଢ଼ୁଥିବା ଆଧିପତ୍ୟକୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ଦିନ ଆଫଗାନିସ୍ତାନର ସ୍ଥିତି ବିଗିଡ଼ୁଥିବା ବେଳେ ତାଲିବାନ ଗତ ୨-୩ ଦିନରେ ୬ଟି ପ୍ରାଦେଶିକ ରାଜଧାନୀକୁ ଦଖଲ କରିସାରିଛି। ତେଣୁ ଏହି କାରଣରୁ ଭାରତ ନିଜ ଅଧିକାରୀଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ।

 

 

 

Share