ନୂଆଦିଲ୍ଲୀ,୧୧ା୧୦: ଶତାବ୍ଦୀ ବଦଳିବା ସହ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇବାକୁ ଯାଉଛି, ଯାହା ଭାରତ ଓ ସିନ୍ଧୁ ଉପତ୍ୟକା ସମେତ ବିଶ୍ୱର ସବୁଠୁ ଜନବହୁଳ ଅଞ୍ଚଳରେ ହୃଦ୍ଘାତ ଏବଂ ଅଂଶୁଘାତ ସମସ୍ୟା ବଢ଼ିପାରେ। ଏକ ନୂଆ ଗବେଷଣାରେ ଏଭଳି ପୂର୍ବାନୁମାନ କରାଯାଇଛି। ପେନ୍ ଷ୍ଟେଟ୍ କଲେଜ ଅଫ୍ ହେଲ୍ଥ ଆଣ୍ଡ ହ୍ୟୁମ୍ୟାନ୍ ଡେଭେଲପମେଣ୍ଟ, ପୁର୍ଡ୍ୟୁ ୟୁନିଭର୍ସିଟି କଲେଜ ଅଫ୍ ସାଇନ୍ସ ଏବଂ ପୁର୍ଡ୍ୟୁ ଇନ୍ଷ୍ଟିଚ୍ୟୁଟ୍ ଫର୍ ଏ ସଷ୍ଟେନେବଲ୍ ଫ୍ୟୁଚର ପକ୍ଷରୁ କରାଯାଇଥିବା ଅନ୍ତଃବିଭାଗୀୟ ଗବେଷଣାରୁ ଏହା ଜଣାଯାଇଛି। ‘ପ୍ରୋସିଡିଂସ୍ ଅଫ୍ ଦି ନ୍ୟାଶନାଲ ଏକାଡେମୀ ଅଫ୍ ସାଇନ୍ସେସ୍’ରେ ପ୍ରକାଶିତ ଉକ୍ତ ଗବେଷଣାରେ ବିଶ୍ୱ ତାପମାତ୍ରା ପ୍ରାକ୍ ଶିଳ୍ପ ସ୍ତରରୁ ୧.୫ ଡିଗ୍ରୀ ସେଲ୍ସିୟସ୍ ଅପେକ୍ଷା ଅଧିକ ବଢ଼ିବ, ଯାହା ମାନବ ସ୍ବାସ୍ଥ୍ୟ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି କୁହାଯାଇଛି।
ହୃଦ୍ଘାତ ବା ଅଂଶୁଘାତ ଅନୁଭବ କରିବା ପୂର୍ବରୁ ମାନବ ଶରୀର କେବଳ ନିର୍ଦ୍ଦିଷ୍ଟ ତାପମାତ୍ରା ଓ ଆର୍ଦ୍ରତାକୁ ଗ୍ରହଣ କରିପାରେ। ଅଧ୍ୟୟନ ଅନୁଯାୟୀ ଯଦି ତାପମାତ୍ରା ପ୍ରାକ୍ ଶିଳ୍ପ ଯୁଗୀୟ ସ୍ତରଠାରୁ ୨ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଏ ତେବେ ଭାରତ ଓ ପାକିସ୍ତାନର ୨୨୦ କୋଟି ଲୋକ ଅସହ୍ୟ ତାତିର ସମ୍ମୁଖୀନ ହେବେ। ସେହିପରି ପୂର୍ବ ଚାଇନାର ୧୦୦ କୋଟି ଏବଂ ସବ୍-ସାହାରା ଆଫ୍ରିକା ଅଞ୍ଚଳର ୮୦ କୋଟି ଲୋକ ଅତ୍ୟଧିକ ଗ୍ରୀଷ୍ମ ଲହର ଅନୁଭବ କରିବେ ବୋଲି ଏଥିରେ କୁହାଯାଇଛି। ଅତ୍ୟଧିକ ଗ୍ରୀଷ୍ମ ଲହରର ସମ୍ମୁଖୀନ ହେବାକୁ ଥିବା ମହାନଗର ମଧ୍ୟରେ ଦିଲ୍ଲୀ, କୋଲକାତା, ସାଙ୍ଘାଇ, ମୁଲ୍ତାନ, ନାଞ୍ଜିଙ୍ଗ ଏବଂ ଉହାନ ରହିଛି। ଏହିସବୁ ଅଞ୍ଚଳରେ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶ ରହିଥିବାରୁ ଲୋକମାନେ ଏୟାର କଣ୍ଡିଶନର କିମ୍ବା ଘରକୁ ଶୀତଳ ରଖିବା ଲାଗି କୌଣସି ପ୍ରଭାବୀ ମାଧ୍ୟମ ଆପଣାଇବାକୁ ସକ୍ଷମ ନୁହନ୍ତି। ଯଦି ବିଶ୍ୱ ତାପମାତ୍ରା ୩ ଡିଗ୍ରୀ ଅଧିକ ବଢ଼ିଯାଏ, ତେବେ ଇଷ୍ଟର୍ନ ସିବୋର୍ଡ ସମେତ ଆମେରିକା ମଧ୍ୟଭାଗରେ ଥିବା ଫ୍ଲୋରିଡାରୁ ନ୍ୟୁୟର୍କ ଏବଂ ହଷ୍ଟନ୍ରୁ ସିକାଗୋ, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ଅତ୍ୟଧିକ ଗ୍ରୀଷ୍ମ ଲହରର ସାମ୍ନା କରିବେ ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବିକଶିତ ରାଷ୍ଟ୍ରର ଜନସାଧାରଣ ଗ୍ରୀଷ୍ମ କଷ୍ଟରୁ ମୁକ୍ତି ପାଇଁ ଆବଶ୍ୟକ ଶୀତଳୀକରଣ ବ୍ୟବସ୍ଥା ଆପଣାଇପାରିବେ। ବିକାଶଶୀଳ ଏବଂ ଗରିବ ଦେଶର ଲୋକମାନେ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେବେ ବୋଲି ଅଧ୍ୟୟନରେ କୁହାଯାଇଛି।