Categories: ଖେଳ

ଇଂଲଣ୍ଡ ସହ ଦିନିକିଆ, ଟି୨୦ ସିରିଜ୍‌ ଖେଳିବ ଭାରତ

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳ ଆସନ୍ତା ବର୍ଷ ଜୁଲାଇରେ ଇଂଲଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ବୁଧବାର କୁହାଯାଇଛି। ଏବେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ବ୍ୟସ୍ତ ଅଛି ଟିମ୍‌ ଇଣ୍ଡିଆ। ସିରିଜ୍‌ର ଅନ୍ତିମ ଟେଷ୍ଟ ଆସନ୍ତା ୧୦ ତାରିଖ ଠାରୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ।

ପୂର୍ବରୁ ଭାରତ ୟୁକେ ଗସ୍ତରେ ଟେଷ୍ଟ ସିରିଜ୍‌ ସହ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳୁଥିଲା। କିନ୍ତୁ କୋଭିଡ୍‌-୧୯ ମହାମାରୀ କାରଣରୁ ସୀମିତ ଓଭର ସିରିଜ୍‌ ଏଥର ଆୟୋଜନ ସମ୍ଭବ ହୋଇପାରି ନ ଥିଲା। ଭାରତ ବିପକ୍ଷ ସମସ୍ତ ସୀମିତ ଓଭର ମ୍ୟାଚ୍‌ ଇଂଲଣ୍ଡରେ ଆସନ୍ତା ଜୁଲାଇରେ ଖେଳାଯିବ।

ଇସିବି ପକ୍ଷରୁ ପ୍ରକାଶ ପାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ପ୍ରଥମେ ଟି୨୦ ଅନ୍ତର୍ଜାତୀୟ ସିରିଜ୍‌ ଖେଳିବ। ଜୁଲାଇ ୧ରୁ ଓଲ୍ଡ ଟ୍ରାଫର୍ଡଠାରୁ ଆରମ୍ଭ ହେଉଥିବା ଟି୨୦ ସିରିଜ୍‌ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ଟ୍ରେଣ୍ଟ ବ୍ରିଜ (ଜୁଲାଇ ୩) ଓ ଏଜେସ ବାଉଲ (୬)ରେ ଖେଳାଯିବ। ସେହିଭଳି ଏଜବାଷ୍ଟନ (୯), ଦ’ ଓଭାଲ (୧୨) ଓ ଲଡର୍‌ସ (୧୪)ରେ ଦିନିକିଆ ସିରିଜ୍‌ର ୩ଟି ମ୍ୟାଚ୍‌ ଅନୁଷ୍ଠିତ ହେବ।

Share