Categories: ଖେଳ

ଇଂଲଣ୍ଡକୁ ଭାରତ ୩୦ ଜଣିଆ ଦଳ ପଠାଇବ: ଭାରତ ‘ଏ’ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ

ଲଣ୍ଡନ, ୧୪।୪(ପି.ଟି.)- ଚଳିତ ଗ୍ରୀଷ୍ମଋତୁରେ ଭାରତ ‘ଏ’ ଦଳର ଇଂଲଣ୍ଡ ଗସ୍ତକୁ ସ୍ଥଗିତ ରଖାଯାଇଛି। ତେବେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ୩୦ ଜଣିଆ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟରେ ବୁଝାମଣା ଭିତ୍ତିରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମଧ୍ୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜ ପୂର୍ବରୁ ଇଂଲଣ୍ଡରେ ଭାରତ ‘ଏ’ ଓ ଭାରତ ସିନିୟର ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଥିଲା। ମାତ୍ର ଏହା ବଦଳରେ ୨ଟି ଇଣ୍ଟ୍ରା-ସ୍କ୍ବାଡ୍‌ ଗେମ୍‌ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। କୋଭିଡ୍‌-୧୯ ମହାମାରୀଜନିତ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହାଇକ୍ୱାଲିଟି ଅନ୍ତର୍ଜାତୀୟ ସିରିଜ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି।
ପୂର୍ବରୁ ଭାରତ ସିନିୟର ଓ ଭାରତ ‘ଏ’ ମଧ୍ୟରେ ୨ଟି ୪ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଥିଲା। ମାତ୍ର ଏବେ ଏହା ୪ ଦିନିଆ ୨ଟି ଇଣ୍ଟ୍ରା-ସ୍କ୍ବାଡ୍‌ ଗେମ୍‌ ମଧ୍ୟରେ ସୀମିତ ରହିଛି। ଏହି ମ୍ୟାଚ ଦ୍ୱୟର ଭେନ୍ୟୁ ସମ୍ପର୍କରେ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅର୍ଥାତ୍‌ ଇଂଲଣ୍ଡ ଗସ୍ତ କରିଥିବା ୩୦ ଜଣିଆ ଦଳ ମଧ୍ୟରେ ଏହି ଅଭ୍ୟାସ ମ୍ୟାଚ ଖେଳାଯିବ। ଏପରି ଆଲୋଚନା ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ପାକିସ୍ତାନ କ୍ରିକେଟ ବୋର୍ଡ ସହ ମଧ୍ୟ ହୋଇଛି ବୋଲି ଇସିବି ପକ୍ଷରୁ ପ୍ରକାଶ କରାଯାଇଛି। ଆସନ୍ତା ଗ୍ରୀଷ୍ମଋତୁରେ ସୁରକ୍ଷିତ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଇସିବି ଏପରି ନିଷ୍ପତ୍ତି ନେଇଛି।