Categories: ଜାତୀୟ

ଡବ୍ଲ୍ୟୁଟିଓ ଅନୁମତି ଦେଲେ ବିଶ୍ୱକୁ ଖାଦ୍ୟ ଯୋଗାଇବ ଭାରତ: ମୋଦି

ନୂଆଦିଲ୍ଲୀ,୧୩ା୪: ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଅନୁମତି ଦେଲେ ବିଶ୍ୱକୁ ଭାରତ ଖାଦ୍ୟ ଯେଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଆଲୋଚନା ବେଳେ କହିଥିବା ମଙ୍ଗଳବାର ସୂଚନା ଦେଇଛନ୍ତି।
ଅହମଦାବାଦ ନିକଟସ୍ଥ ଶ୍ରୀ ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟର ଏକ ହଷ୍ଟେଲ ଏବଂ ଏଜୁକେଶନ୍‌ କମ୍ପ୍ଲେକ୍ସକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ମୋଦି ମଙ୍ଗଳବାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଭାଗରେ ମହଜୁଦ ଥିବା ଖାଦ୍ୟ କମିବାରେ ଲାଗିଛି। କୋଭିଡ୍‌-୧୯ ସଂକ୍ରମଣ ପରେ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଭାରତ ନିଜ ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଥିବା ଦେଖି ବିଶ୍ୱ ବିସ୍ମିତ ହୋଇଯାଇଛି। କୋଟି କୋଟି ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବା ବଡ଼ କଥା। ଏଭଳି ସମୟରେ ଚାହୁଁ ଥିବା ସାମଗ୍ରୀ ପାଉ ନ ଥିବାରୁ ସାରା ବିଶ୍ୱ ଅନିଶ୍ଚିତତା ଦେଇ ଗତି କରୁଛି। ସବୁ ଦ୍ୱାର ବନ୍ଦ ହେବାରେ ଲାଗିଥିବାରୁ ପେଟ୍ରୋଲ, ତେଲ ଓ ସାର କିଣିବା କଷ୍ଟକର ହୋଇପଡ଼ିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସମସ୍ତେ ନିଜ ଷ୍ଟକ୍‌ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି। ବିଶ୍ୱ ଏକ ନୂଆ ସମସ୍ୟାକୁ ସାମ୍ନା କରୁଛି। ବିଶ୍ୱର ଖାଦ୍ୟ ଷ୍ଟକ୍‌ ଖାଲି ହେବାରେ ଲାଗିଛି। ହେଲେ ଆମ ପାଖରେ ଦେଶବାସୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମହଜୁଦ ରହିଛି। କିନ୍ତୁ ଆମ ଚାଷୀମାନେ ସାରା ବିଶ୍ୱ ମୁହଁରେ ଆହାର ଦେବା ଲାଗି ବ୍ୟବସ୍ଥା କରିଛନ୍ତି। ଯଦି ଡବ୍ଲ୍ୟୁଟିଓ ଅନୁମତି ଦିଏ ତେବେ ଭାରତ ଆସନ୍ତା କାଲିଠୁ ବିଶ୍ୱକୁ ଖାଦ୍ୟ ଯୋଗାଇବାକୁ ପ୍ରସ୍ତୁତ ଥିବା ମୋଦି ସୋମବାର ବାଇଡେନ୍‌ଙ୍କ ସହ ଆଲୋଚନା ବେଳେ ତାଙ୍କୁ ଅବଗତ କରାଇଥିବା କହିଛନ୍ତି। ଏହି ଅବସରରେ ମୋଦି ଅଭାବୀଙ୍କୁ ସହଯୋଗର ହାତ ବଢ଼ାଉଥିବା ପାଟିଦାର ସମୁଦାୟକୁ ପ୍ରଶଂସା କରିଛନ୍ତି।

Share